ବରିଷ୍ଠ କଂଗ୍ରେସ ନେତା ଏମ୍‌ଏଲ୍‌ ଫୋତେଦାରଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମଖନଲାଲ୍‌ ଫୋତେଦାର(୮୫)ଙ୍କର ଗତକାଲି ଗୁରୁଗ୍ରାମ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ରାଜିବ ଗାନ୍ଧୀଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ। କଶ୍ମୀରରେ ଜନ୍ମିତ ଫୋତେଦାର ୧୯୫୦ ଦଶକରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଦ୍ୱାରା ରାଜନୀତିରେ ପ୍ରବେଶ କରିଥିଲେ। ତାଙ୍କର କାର୍ଯ୍ୟନିଷ୍ଠା ଓ ନେତୃତ୍ୱ ପାଇଁ ସେ ଦଳରେ ସବୁଠୁ କ୍ଷମତାଶୀଳ ବ୍ୟକ୍ତିତ୍ୱ ପାଲଟିଥିଲେ। ଇନ୍ଦିରା ଗାନ୍ଧୀଙ୍କ ବିଶ୍ୱାସଭାଜନ ହୋଇ ସେ ୧୯୮୦ରେ ତାଙ୍କ ରାଜନୈତିକ ସଚିବ ହୋଇଥିଲେ। ଇନ୍ଦିରାଙ୍କ ମୃତ୍ୟୁ ପରେ ରାଜିବ ଗାନ୍ଧୀ ମଧ୍ୟ ୩ ବର୍ଷ ପାଇଁ ତାଙ୍କୁ ନିଜର ରାଜନୈତିକ ସଚିବ ରଖିଥିଲେ। ଦଳର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା କଂଗ୍ରେସ ଓ୍ଵାର୍କିଂ କମିଟି (ସିଡବ୍ଲ୍ୟୁସି)ର ସେ ଦୀର୍ଘଦିନଧରି ସଦସ୍ୟ ଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ସେ ସିଡବ୍ଲ୍ୟୁସିର ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ରହିଥିଲେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିିଛନ୍ତି। ଫୋତେଦାର ପହଲଗାମ୍‌ ଆସନରୁ କଶ୍ମୀର ବିଧାନସଭାରେ ୧୯୬୭ରୁ ୧୯୭୭ ପର୍ଯ୍ୟନ୍ତ ପ୍ରତିନିଧିତ୍ୱ କରିଥିଲେ। ସେ ରାଜ୍ୟସଭାକୁ ଦୁଇଥର ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର