ଭାରତ-ଆମେରିକା ସୁରକ୍ଷା ଚୁକ୍ତି ସଂପର୍କରେ ପ୍ରତିକ୍ରିୟା ଦେବାକୁ ମନା କଲା ଚୀନ

ବେଜିଂ : ଭାରତ ଓ ଆମେରିକା ମଧ୍ୟରେ ଗତକାଲି ସ୍ୱାକ୍ଷରିତ ସାମରିକ ଓ ସୁରକ୍ଷା ସମ୍ପର୍କିତ ଚୁକ୍ତି ସଂପର୍କରେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି ଚୀନ । ତେବେ ଉଭୟ ଦେଶ ମଧ୍ୟରେ ଅନୁଷ୍ଠିତ ୨+୨ବୈଠକକୁ ସ୍ୱାଗତ କରିଛି ବେଜିଂ । ଏହି ବୈଠକ ଦ୍ୱାରା ଯଦି ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ, ଆମେ ତାକୁ ସ୍ୱାଗତ କରିବୁ ବୋଲି କହିଛନ୍ତି ଚୀନର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁନଇଂ । ସୂଚନାଯୋଗ୍ୟ ଯେ ଭାରତ-ଆମେରିକା ମଧ୍ୟରେ ଅନୁଷ୍ଠିତ ଏହି ୨+୨ବୈଠକ ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବିଷୟ ଉପରେ ଉଭୟ ପକ୍ଷ ଆଲୋଚନା କରିଛନ୍ତି । ଏହା ମଧ୍ୟରେ ପ୍ରମୁଖ ହେଉଛି ଭାରତକୁ ବିଭିନ୍ନ ଅତ୍ୟାଧୁନିକ ଜ୍ଞାନକୌଶଳ ହସ୍ତାନ୍ତର ଉପରେ ଥିବା କଟକଣାକୁ ଲାଘବ କରିବା, ସୀମାପାର ଆତଙ୍କବାଦ, ଏନଏସଜିରେ ଭାରତର ସଦସ୍ୟତା ଓ ଏଚ୧ବି ଭିସା ପ୍ରସଙ୍ଗ । ଏହା ସହିତ ଉଭୟ ପକ୍ଷ ମଧ୍ୟରେ ଆଉ ୨ଟି ହଟଲାଇନ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି । ତେବେ ଏହି ଚୁକ୍ତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଗ ହେଉଛି କମକାସା ବା କମ୍ୟୁକେସନ କମ୍ପାଟିବିଲିଟି ଏଣ୍ଡ ସିକ୍ୟୁରିଟି ଆଗ୍ରିମେଣ୍ଟ । ଏହି ଚୁକ୍ତି ଆମେରିକା ନିଜର ଘନିଷ୍ଠ ସାମରିକ ସହଯୋଗୀଙ୍କ ସହ କରିଥାଏ । ଏହା ଫଳରେ ଭାରତ ଆମେରିକାଠାରୁ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ସୂଚନା ପାଇପାରିବ ଓ ଗୁଇନ୍ଦା ଓ ଲଢୁଆ ଡ୍ରୋନ (ପ୍ରିଡେଟର ଡ୍ରୋନ) ପାଇପାରିବ । କିନ୍ତୁ ଏହି ଚୁକ୍ତି ସଂପର୍କରେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ହୁଆ ଚୁନଇଂ ।

ସମ୍ବନ୍ଧିତ ଖବର