ମହାକାଶରେ ବି ରାଜ୍‌ କରିବେ ଭାରତୀୟ ଝିଅ : ଗଗନଯାନରେ ପୁରୁଷ ମହାକାଶଚାରୀଙ୍କ ସହ ଜଣେ ମହିଳା ବି ସାମିଲ ହେବେ

ନୂଆଦିଲ୍ଲୀ : ଆସନ୍ତା ୨୦୨୨ ସୁଦ୍ଧା ଭାରତ ମହାକାଶକୁ ମଣିଷ ପଠାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ । ଗତ ମାସରେ କେନ୍ଦ୍ର କ୍ୟାବିନେଟ ମଧ୍ୟ ଏହି ପ୍ରକଳ୍ପକୁ ସବୁଜସଂକେତ ଦେଇ ପ୍ରାୟ ୧୦ ହଜାର କୋଟି ମଂଜୁର କରିଛି ।

ଏହି ଲକ୍ଷ୍ୟକୁ ହାସଲ କରିବାକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆସନ୍ତା ୨୦୨୧ ଦ୍ୱିତୀୟ ଭାଗରେ ଭାରତ ମହାକାଶକୁ ଜଣେ ନୁହେଁ ୩ ଜଣକୁ ପଠାଇବ ଓ ଏମାନଙ୍କ ମଧ୍ୟରେ ଜଣେ ମହିଳା ମହାକାଶଚାରୀ ରହିବାର ସମ୍ଭାବନା ରହିଛି ବୋଲି ଇସ୍ରୋ ଅଧ୍ୟକ୍ଷ କେ. ସିବନ କହିଛନ୍ତି । ମୁଖ୍ୟତଃ ଭାରତୀୟ ବାୟୁସେନାର ପାଇଲଟ ମାନଙ୍କୁ ଏଥିପାଇଁ ଚୟନ କରାଯିବ । ତେବେ ଏହି ପ୍ରକଳ୍ପ ପାଇଁ ମହାକାଶଚାରୀ ଚୟନ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ବୋଲି ସେ କହିଛନ୍ତି ।
ପୂର୍ବରୁ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା କଳ୍ପନା ଚାଓ୍ଵାଲା ଓ ସୁନୀତା ଓ୍ଵିଲିୟମ୍ସ ମହାକାଶ ଯାତ୍ରା କରିଥିଲେ ।

ସେ କହିଛନ୍ତି ଯେ ଶ୍ରୀହରିକୋଟା ରକେଟ ଉତକ୍ଷେପଣ କେନ୍ଦ୍ରରୁ ‘ଗଗନଯାନ’ ଉତକ୍ଷେପ ହେବାର ମାତ୍ର ୧୬ ମିନିଟ ମଧ୍ୟରେ ୩ ଜଣ ଭାରତୀୟ ମହାକାଶଚାରୀ ମହାକାଶରେ ପହଞ୍ଚିବେ । ସେମାନେ ଲୋ-ଆର୍ଥ ଅରବିଟରେ ୫ରୁ ୭ ଦିନ କଟାଇବା ପରେ ପୃଥିବୀ ପୃଷ୍ଠକୁ ଫେରିଆସିବେ । ମହାକାଶ ଯାନଟି ଗୁଜୁରାଟ ଉପକୂଳ ଆରବ ସାଗରରେ ପଡିବ । ତେବେ ଯଦି କୌଣସି ପ୍ରାକୃତିକ କିମ୍ବା ଯାନ୍ତ୍ରୀକ ତ୍ରୁଟି ଦେଖାଦିଏ ତେବେ ଜରୁରୀପରିସ୍ଥିତିରେ ଗଗନଯାନକୁ ବଙ୍ଗୋପସାଗରରେ ମଧ୍ୟ ପକାଇବାର ଯୋଜନା ରହିଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର