ରାବ୍‌ରୀ ଦେବୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାର ପୁନର୍ବାହଲ କଲେ ବିହାର ସରକାର

ପାଟନା (ବିହାର): ଦେଶବ୍ୟାପି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ବିହାର ସରକାର ଆଜି ପୁଣି ଥରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍‌ରୀ ଦେବୀଙ୍କ ସରକାରୀ ବାସଭବନରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରିଛନ୍ତି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତ୍ରୀ ରାବ୍‌ରୀ ଦେବୀଙ୍କ ସରକାରୀ ବାସଭବନରେ ସୁରକ୍ଷା ଦାୟିତ୍ୱରେ ମୁତୟନ ଥିବା ସମସ୍ତ ସୁରକ୍ଷା କର୍ମୀଙ୍କୁ ବିହାରର ନୀତୀଶ ସରକାର ଗତ ମଙ୍ଗଳବାର ରାତିରେ ହଠାତ୍‌ ଯେଉଁପରି ଢ଼ଙ୍ଗରେ ପ୍ରତ୍ୟାହାର କରିନେଲେ ତାହା ଦେଶବ୍ୟାପି ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ସରକାରଙ୍କର ଏତାଦୃଶ ଆଚରଣରେ ଗଭୀର କ୍ଷୋଭ ପ୍ରକାଶ କରି ରାବ୍‌ରୀ ଦେବୀ ମଧ୍ୟ କହିଥିଲେ ଯେ ଏପରିସ୍ଥିତିରେ ଯଦି ମୋର କିମ୍ବା ମୋ ପରିବାରର କୌଣସି ପ୍ରକାରର ଅଘଟଣ ଘଟେ, ତେବେ ସେଥିପାଇଁ ସଂପୂର୍ଣ୍ଣ ରୂପେ ଦାୟୀ ରହିବେ ଗୃହ ମନ୍ତ୍ରାଳୟ।

ତେବେ, ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତ୍ରୀ ରାବ୍‌ରୀ ଦେବୀଙ୍କ ସରକାରୀ ବାସଭବନରେ ସୁରକ୍ଷା ଦାୟିତ୍ୱରେ ବିହାର ମିଲିଟାରି ପୋଲିସ୍‌ର ୩୨ ଜଣ ଯବାନ ମୁତୟନ ଥିବାବେଳେ ବର୍ତ୍ତମାନ ବିହାର ସରକାର ଜଣେ ଏଏସ୍‌ଆଇ, ୪ ଜଣ ହେଡ୍‌ କନେଷ୍ଟବଲଙ୍କ ସମେତ ବିହାର ମିଲିଟାରି ପୋଲିସ୍‌ର ୧୨ ଜଣ କମାଣ୍ଡୋଙ୍କୁ ସୁରକ୍ଷା ଦାୟିତ୍ୱରେ ରଖିଛନ୍ତି।

ଏହି ଘଟଣାରେ ନିଜ ପ୍ରତିକ୍ରିୟା ରଖି ରାବ୍‌ରୀ ଦେବୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ ଏବେ ସ୍ପଷ୍ଟ କରନ୍ତୁ ଯେ ସେ କାହା ନିର୍ଦ୍ଦେଶରେ ସୁରକ୍ଷା କର୍ମୀଙ୍କୁ ପ୍ରତ୍ୟାହାର କରି ନେଇଥିଲେ। କାରଣ ଗୃହ ମନ୍ତ୍ରାଳୟ ତାଙ୍କରି ପାଖରେ ହିଁ ଅଛି। ଅନ୍ୟପକ୍ଷରେ ରାବ୍‌ରୀଙ୍କ ପୁତ୍ର ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏହି ଘଟଣାରେ ନୀତୀଶଙ୍କୁ ‘ପଲଟୁ ରାମ୍‌’ କହି କଟାକ୍ଷ କରିଛନ୍ତି।

ସମ୍ବନ୍ଧିତ ଖବର