ଲୋକସଭା ଓ ବିଧାନସଭା ଉପନିର୍ବାଚନ: ବିଜେପିକୁ ଝଟକା, ବିରୋଧୀଙ୍କ ମନୋବଳ ବୃଦ୍ଧି

ନୂଆଦିଲ୍ଲୀ: ମେ ୨୮ ତାରିଖରେ ୪ଟି ଲୋକସଭା ଓ ୧୦ ଟି ବିଧାନସଭା ଆସନ ଲାଗି ଅନୁଷ୍ଠିତ ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଯାବତ୍‌ ହସ୍ତଗତ ହୋଇଥିବା ସୂଚନା ଅନୁସାରେ ଶାସକ ଭାରତୀୟ ଜନତା ପାର୍ଟିକୁ ଆଶାଜନକ ସଫଳତା ମିଳିନାହିଁ। ଗୋଟିଏ ଲୋକସଭା ଓ ଗୋଟିଏ ବିଧାନସଭା ଆସନରେ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସାମଗ୍ରୀକ ଫଳାଫଳ ଅଣ-ବିଜେପି ଦଳଗୁଡ଼ିକ ଲାଗି ଉତ୍ସାହଜନକ ସାବ୍ୟସ୍ତ ହୋଇଛି।

ଉତ୍ତରପ୍ରଦେଶର କୈରାନା, ମହାରାଷ୍ଟ୍ରର ପାଲଘର ଓ ଭଣ୍ଡାରା ଗୋଣ୍ଡିଆ ଏବଂ ନାଗାଲ୍ୟାଣ୍ଡର ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ୪ଟି ଲୋକସଭା ଆସନରୁ ୩ଟିରେ ବିଜେପି ପ୍ରାର୍ଥୀ ପରାଜୟ ବରଣ କରିଛନ୍ତି । କେବଳ ମହାରାଷ୍ଟ୍ରର ପାଲଘର ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ଅନ୍ୟପକ୍ଷରେ ନୁରପୁର (ଉତ୍ତରପ୍ରଦେଶ), ଶାହକୋଟ (ପଞ୍ଜାବ), ଜୋକିହାଟ(ବିହାର), ଗୋମିଆ(ଝାଡଖଣ୍ଡ), ସିଲି(ଝାଡଖଣ୍ଡ) ଚେଙ୍ଗାନୁର୍‌ (କେରଳ), ପୁଲୁସ କାଡେଗାଓଁ (ମହାରାଷ୍ଟ୍ର), ଅମ୍ପାତି (ମେଘାଳୟ), ଆରଆର ନଗର (କର୍ଣ୍ଣାଟକ) ଓ ମହେଶତାଲା(ପଶ୍ଚିମବଙ୍ଗ) ବିଧାନସଭା ଆସନରେ ମଧ୍ୟ ଅଣ-ବିଜେପି ଦଳ ବିଜୟ ଲାଭ କରିଛନ୍ତି । କେବଳ ଉତ୍ତରାଖଣ୍ଡର ଥାରାଲି ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ଉପନିର୍ବାଚନ ଫଳାଫଳ ବିଜେପି ଶିବିରରେ ନୈରାଶ୍ୟ ଖେଳାଇ ଥିବା ବେଳେ ବିରୋଧୀଙ୍କ ମନୋବଳ ଦୃଢ଼ କରିଛି। ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି, ବିହାରରେ ଆରଜେଡି, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ, କର୍ଣ୍ଣାଟକ ଓ ମେଘାଳୟରେ କଂଗ୍ରେସ ଓ ଝାଡ଼ଖଣ୍ଡରେ ଜେଏମଏମର ବିଜୟ ବିଜେପି ଲାଗି ଚାଲେଞ୍ଜ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର