ସଂସଦରେ ଆଗତ ହେବ ‘ଦୁଷ୍କର୍ମକାରୀଙ୍କୁ ମୃତ୍ୟୁ ଦଣ୍ଡ’ ବିଲ !

ନୂଆଦିଲ୍ଲୀ: ଆଗାମୀ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା  ସଂସଦର ମୌସୁମୀ ଅଧିବେଶନ କାଳରେ  ସଂସଦରେ୧୨ ବର୍ଷରୁ କମ୍‌ ବୟସର ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଆସାମୀଙ୍କୁ ମୃତ୍ୟୁଦଣ୍ଡ ନେଇ ଅପରାଧିକ ଆଇନ(ସଂଶୋଧନ) ବିଲ୍‌ ୨୦୧୮ ଉପସ୍ଥାପିତ କରାଯିବ। ଯଦି ଏହି ସଂଶୋଧନ ବିଲ ସଂସଦରେ ଅନୁମୋଦନ ଲାଭ କରେ  ତେବେ ଗତ ଏପ୍ରିଲ ମାସରେ ଜମ୍ମୁ ଓ କଶ୍ମୀରର କଠୁଆ ଓ ଉତ୍ତରପ୍ରଦେଶର ଉନ୍ନାଓ ଠାରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ନେଇ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି ହେବା ପରେ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ନେଇ   ସରକାର ଅପରାଧୀକ ଆଇନ( ସଂଶୋଧନ) ନେଇ ଆଣିଥିବା ଅଧ୍ୟାଦେଶ  ଆଇନରେ ପରିଣତ ହେବ।

ମିଳିଥିବା ସୂଚନା ଅନୁଯାୟୀ, ଗୃହ ମନ୍ତ୍ରଣାଳୟ ଅପରାଧିକ ଆଇନ (ସଂଶୋଧନ) ବିଲ୍‌ର ଡ୍ରାଫ୍ଟ  ପ୍ରସ୍ତୁତ କରିଛି। କେନ୍ଦ୍ର କ୍ୟାବିନେଟ ମଧ୍ୟ ଏ ଡ୍ରାଫ୍ଟ ବିଲ୍‌ ନେଇ ସବୁଜ ସଙ୍କେତ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିରେ ୧୨ ବର୍ଷରୁ କମ୍‌ ବୟସର ନାବାଳକ/ନାବାଳିକାଙ୍କୁ ଦୁଷ୍କର୍ମ କରୁଥିବା ଅପରାଧୀମାନଙ୍କୁ କଠୋର ଦଣ୍ଡ ସହିତ ମୃତ୍ୟୁ ଦଣ୍ଡ ଦେବାର ବ୍ୟବସ୍ଥା କରାଯାଇଛି। ସେହିପରି ଦୁଷ୍କର୍ମ ମାମଲାରେ ମଧ୍ୟ ଆଜୀବନ କାରାଦଣ୍ଡର ବ୍ୟବସ୍ଥା କରାଯାଇଛି। ଡ୍ରାଫ୍ଟ ବିଲ ଅନୁଯାୟୀ, ୧୬ ବର୍ଷରୁ କମ୍‌ ନାବାଳିକାଙ୍କ ଦୁଷ୍କର୍ମ ମାମଲାରେ ୨୦ ବର୍ଷର ସଶ୍ରମ କାରାଦଣ୍ଡ ବ୍ୟବସ୍ଥା କରାଯାଇଥିବା ବେଳେ ଏହାକୁ ‘ସ୍ୱାଭାବିକ ମୃତ୍ୟୁ ପର୍ଯ୍ୟନ୍ତ କାରଦଣ୍ଡ’ ଯାଏ ବର୍ଦ୍ଧିତ କରାଯାଇଛି। ସେହିପରି ୧୬ ବର୍ଷରୁ କମ୍‌ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଅପରାଧୀମାନଙ୍କୁ ‘ମୃତ୍ୟୁ ପର୍ଯ୍ୟନ୍ତ କାରାଦଣ୍ଡ’ ପାଇଁ ପ୍ରସ୍ତାବ ରହିଛି। ସେହିପରି ଏହି ଡ୍ରାପ୍ଟ ବିଲ୍‌ରେ ବିଭିନ୍ନ ଦୁଷ୍କର୍ମ ମାମଲାର ତଦନ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ମଧ୍ୟ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ଦେବାର ବ୍ୟବସ୍ଥା ରହିଛି। ସେହିପରି ଦୁଷ୍କର୍ମ ମାମଲାରୁ ବିଚାର ପ୍ରକ୍ରିୟା ମାତ୍ର ଦୁଇ ମାସ ମଧ୍ୟରେ ଶେଷ କରିବାକୁ ଡ୍ରାଫ୍ଟ ବିଲରେ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର