ସହିଦ ପୁଲିସ କର୍ମୀଙ୍କ ଶବ କାନ୍ଧେଇଲେ ଶିବରାଜ

ଭୋପାଳ: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୁଲିସ୍‌ ଏଏସ୍‌ଆଇ ଅମ୍ରିତ୍‌ ଭିଲାଲଙ୍କ ଶବକୁ କାନ୍ଧଦେଇ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜ ମହାନତାର ପରିଚୟ ଦେଇଛନ୍ତି। ଭିଲାଲଙ୍କ ଶବକୁ ଯେତେବେଳେ ପୁଲିସ କର୍ମୀମାନେ କାନ୍ଧେଇ ନେଉଥିଲେ, ଏହି ସମୟରେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ଚୌହାନ ନିଜକୁ ରୋକିପାରି ନ ଥିଲେ। କିଛି ଚିନ୍ତା ନ କରି ସେ ଶବ ବୁହାଯାଉଥିବା ଭାରାରେ କାନ୍ଧ ରଖିଥିଲେ। ଅନ୍ୟପକ୍ଷରେ ଯଦିଓ ଦୁର୍ଘଟଣାରେ ଶ୍ରୀ ଭିଲାଲଙ୍କର ମୃତ୍ୟୁ ହୋଇଥିଲା, ତଥାପି ତାଙ୍କୁ ସହିଦ ମାନ୍ୟତା ଦିଆଯିବା ସହିତ ତାଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ସେ ଘୋଷଣା କରିଥିଲେ। ଏମିତି କି ଭିଲାଲଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବା ପାଇଁ ସରକାର ବିଚାର କରିବେ ବୋଲି ସେ କହଥିଲେ। ଭିଲାଲଙ୍କ ଶବକୁ କାନ୍ଧେଇଥିବା ଅନ୍ୟମାନଙ୍କ ମଧ୍ୟରେ ପୁଲିସ ମହାନିର୍ଦ୍ଦେଶକ ରିଶି କୁମାର ଶୁକ୍ଳା ଓ ଡିଭିଜନାଲ କମିଶନର କବିନ୍ଦ୍ର କିୟାଓ୍ଵତ୍‌ ଏବଂ କିଛି ବରିଷ୍ଠ ପୁଲିସ ଅଧିକାରୀ ଥିଲେ। ଶୋକସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ, ଭିଲାଲ ନିଜ କର୍ତ୍ତବ୍ୟ କରୁଥିବା ସମୟରେ ପ୍ରାଣତ୍ୟାଗ କରିଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ପରିବାର ସଦସ୍ୟଙ୍କ ସହିତ ସମଗ୍ର ରାଜ୍ୟ ଛିଡ଼ା ହେବ। ଉଲ୍ଲେଖଯୋଗ୍ୟ, ଜୁନ୍‌ ୧୭ରେ ଡ୍ୟୁଟିରେ ଥିବା ବେଳେ ଭିଲାଲ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ କହିବାନୁଯାୟୀ ଭିଲାଲ ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ସେ ତାଙ୍କୁ ଭେଟିବାକୁ ଯାଇଥିଲେ। କିଛିଦିନ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟୁଥିବା ମଧ୍ୟ ସେ ଖବର ପାଇଥିଲେ। ଭିଲାଲ ମାନସିକ ଦିଗରୁ ବେଶ୍‌ ସବଳ ଥିଲେ। କିନ୍ତୁ ହଠାତ୍‌ ତାଙ୍କ ମୃତ୍ୟୁ ଖବର ମିଳିଥିଲା। ଏହା ତାଙ୍କୁ ମର୍ମାହତ କରିଥିଲା। ଚୌହାନ କହିଛନ୍ତି, ଦୁର୍ଘଟଣା ଘଟାଇଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶୋକସଭା ପରେ ଭିଲାଲଙ୍କ ମୃତଦେହ ତାଙ୍କ ଜନ୍ମସ୍ଥାନ ରାଜଗଡ଼କୁ ନିଆଯାଇଥିଲା। ସେଠାରେ ତାଙ୍କର ଅନ୍ତ୍ୟେଷ୍ଟ୍ରି କ୍ରୟା ସମ୍ପନ୍ନ ହେବ।

ସମ୍ବନ୍ଧିତ ଖବର