ସେଲ୍ ଅଧ୍ୟକ୍ଷଙ୍କ ହତ୍ୟା ଷଡ଼୍‌ଯନ୍ତ୍ରକାରୀ ଗିରଫ, ୧୦୦ କୋଟିର କୋଇଲା ଯୋଗାଣ ଚୁକ୍ତିକୁ ବାତିଲ କରିଥ‌ିଲେ ଅଧ୍ୟକ୍ଷ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଇସ୍ପାତ କମ୍ପାନି ସେଲ୍ ଅଧ୍ୟକ୍ଷ ଅନିଲ କୁମାର ଚୌଧାରୀଙ୍କ ଉପରେ ଗତ ମାସରେ ହୋଇଥିବା ପ୍ରାଣାନ୍ତକ ଆକ୍ରମଣର ରହସ୍ୟ ଦିଲ୍ଲୀ ପୁଲିସର କ୍ରାଇମ୍ ବ୍ରାଞ୍ଚ ଉନ୍ମୋଚନ କରିଛି । ପୁଲିସ କୋଇଲା ମାଫିଆ ତଥା ଠିକାଦାର ଅଶୋକ କୁମାର ସିଂହଙ୍କୁ ତାଙ୍କ ଦକ୍ଷିଣ ପଶ୍ଚିମ ଦିଲ୍ଲୀର ବସନ୍ତ କୁଞ୍ଜ ଘରୁ ଗତ ଶୁକ୍ରବାର ଗିରଫ କରିଛି। ଶ୍ରୀ ସିଂହଙ୍କ ପୁଅ କମ୍ପାନି ସହିତ ହୋଇଥିବା ୧୦୦ କୋଟି ଟଙ୍କା ମୂଲ୍ୟର କୋଇଲା ଯୋଗାଣ ଚୁକ୍ତିକୁ ସେଲ୍ ଅଧ୍ୟକ୍ଷ ଶ୍ରୀ ଚୌଧାରୀ ବାତିଲ କରିଦେବା ପରେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ସେ ଷଡ଼୍‌ଯନ୍ତ୍ର କରିଥିଲେ।

ସେଲ୍ ପକ୍ଷରୁ ଶ୍ରୀ ସିଂହଙ୍କ ପୁଅ କମ୍ପାନିକୁ କୋଇଲା ଯୋଗାଣ ପାଇଁ ୩୦ କୋଟି ଟଙ୍କା ଅଗ୍ରିମ ପ୍ରଦାନ କରାଯାଇଥିଲା। ତେବେ କୋଇଲାର ନମୁନା ଦୁଇ ଥର ଯାଞ୍ଚ ପରେ ତାହା ଆବଶ୍ୟକ ମାନଦଣ୍ଡର ନଥିବା ଜଣା ପଡ଼ିଥିଲା। ଏହାପରେ ସେଲ୍ ଅଧ୍ୟକ୍ଷ ଉକ୍ତ କୋଇଲା ଯୋଗାଣ ଚୁକ୍ତିକୁ ବାତିଲ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣା ଶ୍ରୀ ସିଂହଙ୍କୁ ଉତ୍‌କ୍ଷିପ୍ତ କରିଥିଲା। ପ୍ରତିଶୋଧ ନେବା ପାଇଁ ଶ୍ରୀ ସିଂହ ଆକ୍ରମଣର ଜାଲ ବିଛାଇଥିଲେ। ଅଗଷ୍ଟ ୭ ତାରିଖ ରାତିରେ ଶ୍ରୀ ଚୌଧାରୀ କାର୍ଯ୍ୟାଳୟରୁ ଘରକୁ ଫେରିବା ବେଳେ ତାଙ୍କ କାର୍‌କୁ ଅନ୍ୟ ଏକ କାର୍‌ ଧକ୍କା ଦେଇଥିଲା। ଶ୍ରୀ ଚୌଧାରୀ ଏବଂ ତାଙ୍କ ଡ୍ରାଇଭର କାର୍‌ରୁ ବାହାରିବା ମାତ୍ରେ ଧକ୍କା ଦେଇଥିବା କାରରୁ ୪ ଜଣ ବ୍ୟକ୍ତି ଶ୍ରୀ ଚୌଧାରୀଙ୍କୁ ଲୁହା ଛଡ଼ରେ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ମୁଣ୍ଡ, ବେକ, ଆଣ୍ଠୁ ଏବଂ ଗୋଡ଼ରେ ଆଘାତ ଲାଗିଥିଲା। ଦୁର୍ଘଟଣା ସ୍ଥଳରେ ହେଉଥିବା ପାଟିତୁଣ୍ଡକୁ ଶୁଣି ସେଠାରେ ପାଟ୍ରୋଲିଂ କରୁଥିବା ପୁଲିସ ଆସି ସେଠାରେ ପହଞ୍ଚିଥିଲା। ଦୁଇ ଜଣ ଆକ୍ରମଣକାରୀଙ୍କୁ ପୁଲିସ ଗିରଫ କରିଥିଲା। ଏହାପରେ ପୁଲିସ୍ ଅନ୍ୟ ଆକ୍ରମଣକାରୀଙ୍କୁ ଧରିବାକୁ ଯିବାବେଳେ ଶ୍ରୀ ସିଂହଙ୍କ ଦ୍ବାରା ବିଛାଯାଇଥିବା ଜାଲର ସୁରାକ ପାଇଥିଲା। ଶ୍ରୀ ଚୌଧାରୀଙ୍କୁ ହତ୍ୟା ପାଇଁ ଶ୍ରୀ ସିଂହ ଆକ୍ରମଣକାରୀଙ୍କୁ ୬ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ। ୨ ଲକ୍ଷ ଟଙ୍କା ଅଗ୍ରିମ ବି ଦିଆଯାଇଥିଲା। ଏହା ରୋଡ୍ ରେଜ୍ ଜନିତ ଆକ୍ରମଣ ନଥିଲା ବୋଲି ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର