ଉତ୍ତର ପୂର୍ବ ଅଭିଯାନରେ ମୋଦୀ, ଦେଶର ସଫଳତା ଦେଖି କଂଗ୍ରେସକୁ ପୀଡ଼ା ହେଉଛି

ଗୌହାଟି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ପ୍ରଚାର ଅଭିଯାନକୁ ତ୍ବରାନ୍ବିତ କରିଛନ୍ତି। ଆଜି ଅରୁଣାଚଳ ପ୍ରଦେଶ ଏବଂ ଆସାମରେ ଅନୁଷ୍ଠିତ ରୢାଲିରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେଇ କଂଗ୍ରେସ ଉପରେ କଡ଼ା ପ୍ରହାର କରିଛନ୍ତି। ଭାରତର ସେନା ଆତଙ୍କବାଦୀଙ୍କ ବିରୋଧରେ ‌ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଏବଂ ଆବଶ୍ୟକସ୍ଥଳେ ସେମାନଙ୍କୁ ଘରେ ପଶି ନିପାତ କରୁଥିବାରୁ ଏଥିରେ କଂଗ୍ରେସକୁ ପୀଡ଼ା ହେଉଛି। ପୁଲୱାମାରେ ଆକ୍ରମଣ ପରେ ପାକିସ୍ତାନର ବାଲାକୋଟ୍‌ରେ ଭାରତୀୟ ବାୟୁସେନାର ସଫଳ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଆତଙ୍କବାଦୀଙ୍କ ସହିତ କଂଗ୍ରେସ ମଧ୍ୟ ବିବତ୍ର ହୋଇଉଠିଛି। ଏହି ଦଳ ସେନାକୁ ପ୍ରମାଣ ମାଗିବା ସହ ପାକିସ୍ତାନର ସ୍ବର ସହିତ ସ୍ବର ମିଳାଇ ଦେଶକୁ ବଦନାମ କରିଚାଲିଛି। ରାହୁଲ ଗାନ୍ଧୀଙ୍କ ନାମ ନନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁମାନେ ଲୋକଙ୍କ ଅର୍ଥକୁ ଲୁଟୁଛନ୍ତି ସେମାନଙ୍କ ସହିତ ସର୍ବଦା କଂଗ୍ରେସ ରହିଛି। ଅରୁଣାଚଳ ପ୍ରଦେଶର ଆଲୋରେ ଅନୁଷ୍ଠିତ ରୢାଲିରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କଂଗ୍ରେସ ଏବଂ ଦୁର୍ନୀତି ସର୍ବଦା ଏକାଠି ରହିଥାନ୍ତି। ଆମେ ଦେଶର କଲ୍ୟାଣ ପାଇଁ କାମ କରୁଥିବା ବେଳେ କଂଗ୍ରେସ ନେତାମାନେ ନିଜର ସ୍ବାର୍ଥ ପାଇଁ ହିଁ କାମ କରୁଛନ୍ତି। ସେମାନେ ଚୌକିଦାରକୁ ଗାଳି ଦେଉଛନ୍ତି ଏବଂ ଦେଶକୁ ବଦନାମ କରିଚାଲିଛନ୍ତି ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର