କନେଷ୍ଟବଲ ନିଯୁକ୍ତି ପରୀକ୍ଷା ପାଇଁ ସମଗ୍ର ରାଜସ୍ଥାନରେ ୨ଦିନ ପାଇଁ ବନ୍ଦ ହେଲା ମୋବାଇଲ ଓ ଇଣ୍ଟରନେଟ୍‌ ସେବା

ଜୟପୁର (ରାଜସ୍ଥାନ): ପୂର୍ବରୁ ଦେଶରେ କୌଣସି ସ୍ଥାନରେ ଦଙ୍ଗା ବା ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେଉଥିଲେ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ସଂପୃକ୍ତ ଅଞ୍ଚଳରେ ସାମୟିକ ସମୟ ପାଇଁ ମୋବାଇଲ ଓ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଉଥିଲା। ତେବେ, ରାଜସ୍ଥାନରେ ଆଜି (ଶନିବାର) ଠାରୁ ଆରମ୍ଭ ହୋଇଥିବା କନେଷ୍ଟବଲ ନିଯୁକ୍ତି ପରୀକ୍ଷା ପାଇଁ ପୂରା ଦୁଇଦିନ ପାଇଁ (ଶନିବାର ଓ ରବିବାର) ସମଗ୍ର ରାଜସ୍ଥାନରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯିବା ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି।


ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ,ରାଜସ୍ଥାନରେ କନେଷ୍ଟବଲ ନିଯୁକ୍ତି ଆୟୋଜିତ ହେଉଥିବା ପରୀକ୍ଷାରେ ୧୫ ଲକ୍ଷ ଆଶାୟୀ ପ୍ରାର୍ଥୀ ଅଂଶ ଗ୍ରହଣ କରୁଛନ୍ତି। ଏହି ପରୀକ୍ଷା ଆଜି ଓ ଆସନ୍ତାକାଲି ଅନୁଷ୍ଠିତ ହେବ। ଏତେ ସଂଖ୍ୟକ ପରୀକ୍ଷାର୍ଥୀଙ୍କୁ ଦୃଷ୍ଟିରେ ରଖି ପୂର୍ବରୁ ମାର୍ଚ୍ଚ ମାସରେ ଏହି ପରୀକ୍ଷାକୁ ଅନ୍‌ଲାଇନ୍‌ ଜରିଆରେ କରିବା ପାଇଁ କର୍ତ୍ତୃପକ୍ଷ ଉଦ୍ୟମ କରିଥିଲେ। ତେବେ, ଗୋଟିଏ ସଂଗଠିତ ଦଳ ଏହି ଅନ୍‌ଲାଇନ୍‌ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରିବା ପାଇଁ ଅସତ୍‌ ଉପାୟର ଅବଲମ୍ବନ କରିଥିବା ଜଣାପଡ଼ିବା ପରେ ଏହି ପରୀକ୍ଷାକୁ ବାତିଲ କରି ଦିଆଯାଇଥିଲା। ସେଥିପାଇଁ ବର୍ତ୍ତମାନ ଏହି ପରୀକ୍ଷାକୁ ଦ୍ୱିତୀୟ ଥର ପାଇଁ କରା ଯାଉଥିବା ବେଳେ ଏଥର ଯେମତି ପରୀକ୍ଷାରେ କୌଣସି ପ୍ରକାରର ତ୍ରୁଟି ବିଚ୍ୟୁତି ନଘଟେ, ତାହାକୁ ନିଶ୍ଚିତ କରିବା ପାଇଁ କର୍ତ୍ତୃପକ୍ଷ ସମଗ୍ର ରାଜ୍ୟରେ ଦୁଇଦିନ ପାଇଁ ମୋବାଇଲ ଓ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦେଇଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର