ଦାୟିତ୍ବ ନେଲେ କେଜ୍ରିୱାଲ୍‌: ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ ଜଳ ବୋର୍ଡ, ଗୋପାଳ ରାୟଙ୍କୁ ପରିବେଶ ବିଭାଗ

ନୂଆଦିଲ୍ଲୀ: ଆପ୍‌ ସୁପ୍ରି ମୋ ଅରବିନ୍ଦ କେଜ୍ରିୱାଲ୍‌ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। କେଜ୍ରିୱାଲ୍‌ଙ୍କ ସମେତ କ୍ୟାବିନେଟ୍‌ର ଅନ୍ୟ ସଦସ୍ୟ ତଥା ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ରାଜେନ୍ଦ୍ର ପାଲ୍‌ ଗୌତମ ଏବଂ ଇମ୍ରାନ୍‌ ହୁସେନ ମଧ୍ୟ ଦିଲ୍ଲୀ ସଚିବାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି। ତୃତୀୟ ପାଳିରେ କେଜ୍ରିୱାଲ୍‌ କୌଣସି ବିଭାଗର ଦାୟିତ୍ବ ନିଜ ଅଧୀନ‌ରେ ରଖିନାହାନ୍ତି। ନୂଆ ସରକାରରେ ସତ୍ୟେନ୍ଦ୍ର କୁମାର ଜୈନ ଦିଲ୍ଲୀ ଜଳ ବୋର୍ଡ ଦାୟିତ୍ବ ନେଇଥିବାବେଳେ ଗୋପାଳ ରାୟଙ୍କୁ ମିଳିଛି ପରିବେଶ ବିଭାଗ। ରାଜେନ୍ଦ୍ର ପାଲ୍‌ ଗୌତମଙ୍କୁ ମହିଳା ଏବଂ ଶିଶୁ ବିକାଶ ବିଭାଗର ଦାୟିତ୍ବ ମିଳିଛି। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପୂର୍ବ କାର୍ଯ୍ୟକାଳ ପରି ସମାନ ପଦବିରେ ରହିବେ ଏବଂ ଏଥିସହ ସିସୋଦିଆଙ୍କୁ ଶିକ୍ଷା, ଅର୍ଥ, ଯୋଜନା , ଲ୍ୟାଣ୍ଡ୍‌ ଏବଂ ବିଲ୍ଡିଙ୍ଗ୍‌ ପରି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ନେଇଛନ୍ତି। ନୂଆ ଜ୍ୟାବିନେଟ୍‌ରେ କୌଣସି ମହିଳା ନେତ୍ରୀ ସାମିଲ ହୋଇନାହାନ୍ତି। ଆପ୍‌ରୁ ୮ ଜଣ ମହିଳା ବିଧାୟକ ନିର୍ବାଚନ ଜିତିଥିଲେ ମଧ୍ୟ କୌଣସି ଜଣେ ହେଲେ କ୍ୟାବିନେଟ୍‌ରେ ସାମିଲ ହୋଇନାହାନ୍ତି।

ସମ୍ବନ୍ଧିତ ଖବର