ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ଯବାନ ସହିଦ, ୪ ଆହତ

ଶ୍ରୀନଗର: ଜମ୍ମୁ କଶ୍ମୀର ରାଜୌରି ଜିଲ୍ଲା ସ୍ଥିତ ସୁନ୍ଦରବନି ସେକ୍ଟରରେ ଆଜି ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଛି। ପାକ୍‌ ସେନାର ଗୁଳିମାଡ଼ରେ ଭାରତର ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୪ ଜଣ ଯବାନ ଆହତ ହୋଇଛନ୍ତି। ସହିଦ ହୋଇଥିବା ଯବାନ ଜଣକ ପଞ୍ଜାବର କର୍ମଜିତ୍ ସିଂହ ବୋଲି ଜଣାପଡ଼ିଛି। ପ୍ରତିରକ୍ଷା ବିଭାଗର ଜଣେ ମୁଖପାତ୍ରଙ୍କ କହିବା ଅନୁଯାୟୀ, ପାକିସ୍ତାନ ପଟୁ ଆଜି ଭୋର ସମୟରୁ ସୀମା ନିକଟ ଆଗୁଆ ଘାଟିଗୁଡ଼ିକୁ ନିଶାଣ କରି କ୍ଷୁଦ୍ରାସ୍ତ୍ର ଏବଂ ମୋର୍ଟାର ମାଡ଼ କରାଯାଇଥିଲା। ଭାରତୀୟ ଯବାନମାନେ ମଧ୍ୟ ଏହାର କଡ଼ା ଜବାବ ଦେଇଥିଲେ। ତେବେ ଉଭୟ ପକ୍ଷର ଗୁଳିମାଡ଼ରେ କେରି ବା‌ଟ୍ଟଲ ଆଗୁ୍ଆ ଅଞ୍ଚଳରେ ଯବାନ କର୍ମଜିତ୍ ସହିଦ ହୋଇ ଯାଇଛନ୍ତି। ଉଲ୍ଲେଖ‌ଯୋଗ୍ୟ, ଗତକାଲି ମଧ୍ୟ ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଥିଲା। ଗତ ଫେବ୍ରୁଆରି ୨୬ ତାରିଖରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ପରଠାରୁ ପାକ୍‌ ସେନା ଭାରତର ଆଗୁଆ ଘାଟିଗୁଡ଼ିକୁ ନିଶାଣ କରି ଗୁଳିଗୋଳା ମାଡ଼ କରୁଛି।

ସମ୍ବନ୍ଧିତ ଖବର