ବିଏଚ୍‌ୟୁ କୁଳପତିଙ୍କ ଇସ୍ତଫା ଧମକ: ଛୁଟିରେ ଯିବାକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆ କୁଳପତି ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ପଠାଗଲା ୬ଟି ନାଁ

ବାରଣାସି : ଛାତ୍ରୀ ଅସଦାଚରଣ ଘଟଣାକୁ ନେଇ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି, ଛାତ୍ରଛାତ୍ରୀଙ୍କୁ ପୁଲିସର ଲାଠିମାଡ଼, ପୁଲିସ-ଛାତ୍ର ସଂଘର୍ଷ ଆଦି ଘଟଣା ପାଇଁ କୁଳପତି ଜିସି ତ୍ରିପାଠୀଙ୍କୁ ଛୁଟିରେ ଯିବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ସମନ୍‌ ଜାରି କରାଯାଇଥିଲା। ତେବେ ତାଙ୍କ କୈଫିୟତ ସନ୍ତୋଷଜନକ ହୋଇନଥିବା ପ୍ରକାଶ। ଅନ୍ୟପକ୍ଷରେ କୁଳପତି ଛୁଟିରେ ଯିବା ପରିବର୍ତ୍ତେ ଇସ୍ତଫା ଦେବାକୁ ଧମକ ଦେଇଥିବା ଜଣାପଡ଼ିଛି। ବିଶ୍ୱବିଦ୍ୟାଳୟକୁ ପ୍ରମୁଖ ସ୍ଥାନରେ ପହଞ୍ଚିବାକୁ ସେ ବହୁ କାର୍ଯ୍ୟ କରିଛନ୍ତି। ଛୁଟିରେ ଯିବାଭଳି ଅବସ୍ଥା ପୂର୍ବରୁ ଇସ୍ତଫା ଦେବା ତାଙ୍କପାଇଁ ସମ୍ମାନଜନକ ବୋଲି ସେ କହିଛନ୍ତି। ପରବର୍ତ୍ତୀ କୁଳପତି ନିଯୁକ୍ତି ନିମନ୍ତେ ଏକ କମିଟି ଗଠନ କରାଯାଇ ମନ୍ତ୍ରାଳୟ ପକ୍ଷରୁ ୬ଜଣ ବ୍ୟକ୍ତିଙ୍କ ନାମ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଛି। ଏଥିରୁ ୩ଜଣଙ୍କ ନାମ ରାଷ୍ଟ୍ରପତି ଚୟନ କରିବେ। କମିଟି ସେମାନଙ୍କ ମଧ୍ୟରୁ ଜଣଙ୍କୁ ନିଯୁକ୍ତି ଦେବେ। କୁଳପତି ନିଯୁକ୍ତି ନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।
ଆସନ୍ତା ନଭେମ୍ବର ୨୭ରେ କୁଳପତି ତ୍ରିପାଠୀ ଅବସର ଗ୍ରହଣ କରିଥାନ୍ତେ। କିନ୍ତୁ ବିଶ୍ୱବିଦ୍ୟାଳୟରେ ହିଂସାପାଇଁ ବାରଣାସୀ କମିଶନର ତାଙ୍କ ତଦନ୍ତ ରିପୋର୍ଟରେ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ଦାୟୀ କରିଥିଲେ। ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗକୁ କୁଳପତି ବାରମ୍ବାର ଅଗ୍ରାହ୍ୟ କରିଥିଲେ। ପୀଡ଼ିତା ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହାରେ ବୁଲୁଛନ୍ତି ବୋଲି ସେ ଅଭିଯୋଗ ବାଢ଼ିଥିଲେ। ବିଶ୍ୱବିଦ୍ୟାଳୟ ପ୍ରଶାସନର ନିଷ୍କ୍ରିୟତା ଛାତ୍ରଛାତ୍ରୀଙ୍କୁ ଉତ୍ତ୍ୟକ୍ତ କରିଥିଲା। ସେମାନେ କୁଳପତିଙ୍କ ବାସଭବନକୁ ଯାଉଥିବାବେଳେ ପୁଲିସ ଅଟକାଇବାରୁ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୭ ଛାତ୍ରଛାତ୍ରୀ ଓ ୨ ସାମ୍ବାଦିକ ଆହତ ହୋଇଥିଲେ। କୁଳପତି ଠିକଣା ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏଭଳି ଘଟଣା ଘଟିନଥାନ୍ତା ବୋଲି କମିଶନର ତଦନ୍ତ ରିପୋର୍ଟରେ ଦର୍ଶାଇଥିଲେ। ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରୀ ଅସଦାଚରଣ ଘଟଣା ସରକାରଙ୍କ ପାଇଁ ଅସହଜ ପରିସ୍ଥିତି ସୃଷ୍ଟି କରିଥିଲା।
ଗତକାଲିି ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରୋକ୍ଟର (ଶୃଙ୍ଖଳା ରକ୍ଷାକାରୀ ପଦସ୍ଥ କର୍ମଚାରୀ) ନିଜ ପଦରୁ ଇସ୍ତଫା ଦେଇଥିଲେ। ହିଂସାକାଣ୍ଡ ପାଇଁ ନୈତିକତା ଦୃଷ୍ଟିକୋଣରୁ ସେ ନିଜକୁ ଦାୟୀ କରିଥିଲେ। ପୀଡ଼ିତା ଛାତ୍ରୀ ଅସଦାଚରଣ ନେଇ ମୁଖ୍ୟ ପ୍ରୋକ୍ଟରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସେ କିମ୍ବା ସୁରକ୍ଷାକର୍ମୀ ତାଙ୍କ ଅଭିଯୋଗକୁ ଠିକ୍‌ ଭାବେ ଗ୍ରହଣ କରିନଥିଲେ ବୋଲି ଅଭିଯୋଗ ହୋଇଥିଲା। ଆଜି ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ରୋୟାନା ସିଂହଙ୍କୁ ମୁଖ୍ୟ ପ୍ରୋକ୍ଟର ଭାବେ ନିଯୁକ୍ତ କରାଯାଇଛି। ଜଣେ ମହିଳା ଏହି ପଦରେ ନିଯୁକ୍ତ ହେବା ବିଶ୍ୱବିଦ୍ୟାଳୟ ଇତିହାସରେ ପ୍ରଥମ ଘଟଣା। ଗତ ମଙ୍ଗଳବାର ରାଜ୍ୟ ସରକାର ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ଜାତୀୟ ମାନବିକ ଅଧିକାର କମିସନ ରାଜ୍ୟ ପୁଲିସ ଡିଜି ଓ କୁଳପତିଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି।

ସମ୍ବନ୍ଧିତ ଖବର