ବିବାହ ପ୍ରତିଶ୍ରୁତି ଦେଇ ଯୌନସମ୍ପର୍କ ‘ଦୁଷ୍କର୍ମ’: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୌନସମ୍ପର୍କ ରଖିଲେ ଏହାକୁ ଦୁଷ୍କର୍ମ ଭାବେ ବିଚାର କରାଯିବବୋଲି କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ନାଗେଶ୍ୱର ରାଓ ଏବଂ ଏମ୍ଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଛତିଶଗଡ଼ ବିଳାସପୁର ନିକଟ କୋନିର ଜଣେ ମହିଳା ସ୍ଥାନୀୟ ଡାକ୍ତରଙ୍କ ବିରୋଧରେ ୨୦୧୩ରେ ବଳାତ୍କାର ମାମଲା ରୁଜୁ କରିଥିଲେ। ଅଭିଯୋଗ ଥିଲା, ଡାକ୍ତର ଜଣକ ବିବାହ ପ୍ରତିଶ୍ରୁତି ଦେଇ ୨୦୦୯ ମସିହାରୁ ମହିଳାଙ୍କ ସହ ଯୌନସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ଡାକ୍ତର ଜଣକ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ୧୦ ବର୍ଷ ଦଣ୍ଡାଦେଶ ଦେଇଥିଲେ। ହାଇକୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ଡାକ୍ତର ଜଣକ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେI ସର୍ବୋଚ୍ଚ ନ୍ୟାୟାଳୟର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଦର୍ଶାଇଛନ୍ତି, ହତ୍ୟା ବ୍ୟକ୍ତିର ଶରୀର ନଷ୍ଟ କରୁଥିବା ବେଳେ ଦୁଷ୍କର୍ମ ଜଣେ ଅସହାୟ ମହିଳାଙ୍କ ଆତ୍ମାକୁ ନ୍ୟୁନ କରିଦେଉଛି। ଯଦି ପ୍ରମାଣିତ ହୁଏ, ଅଭିଯୁକ୍ତର ବିବାହ କରିବାର ଉଧଦ୍ଦଶ୍ୟ ନଥିଲା ବରଂ ମିଥ୍ୟା ପ୍ରତିଶ୍ରୁତି ଦେଇ ଯୌନସମ୍ପର୍କ ରଖିଛନ୍ତି ତେବେ ତାହାକୁ ବଳାତ୍କାର ଭାବେ ବିବେଚନା କରାଯିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ତେବେ ସୁପ୍ରିମକୋର୍ଟ ଡାକ୍ତରଙ୍କୁ ହୋଇଥିବା ୧୦ ବର୍ଷର ଦଣ୍ଡାଦେଶକୁ କମାଇ ୭ ବର୍ଷ କରିଦେଇଛନ୍ତି।

ସମ୍ବନ୍ଧିତ ଖବର