ବିମାନ ଯାତ୍ରୀମାନଙ୍କୁ ଯାଞ୍ଚ ପାଇଁ ଆଉ ହ୍ୟାଣ୍ଡବ୍ୟାଗରୁ ଲାପ୍‌ଟପ, ଟାବଲେଟ୍‌ ବାହାର କରିବାକୁ ପଡ଼ିବ ନାହିଁ; ଯାଞ୍ଚ ପାଇଁ ଲାଗିବ ଥ୍ରି-ଡି ସ୍କାନର

ନୂଆଦିଲ୍ଲୀ: ବିମାନ ଯାତ୍ରୀମାନଙ୍କ ପାଇଁ ଖୁସି ଖବର। ଏଣିକି ବିମାନ ଯାତ୍ରା କାଳରେ ହେଉଥିବା ଯାଞ୍ଚ ବା ତନଖି ସମୟରେ ଯାତ୍ରୀମାନଙ୍କୁ ଆଉ ସେମାନଙ୍କ ସାଙ୍ଗରେ ନେଉଥିବା ହ୍ୟାଣ୍ଡବ୍ୟାଗ୍‌ରୁ ଲାପ୍‌ଟପ୍‌, ଟାବ୍‌ଲେଟ୍‌ ବା ଅନ୍ୟ କୌଣସି ତରଳ ପଦାର୍ଥକୁ ବ୍ୟାଗ୍‌ରୁ ବାହାର କରିବା ପାଇଁ ପଡ଼ିବ ନାହିଁ। କାରଣ, ଏବେ ଯାତ୍ରୀମାନଙ୍କ ହ୍ୟାଣ୍ଡବ୍ୟାଗ୍‌କୁ ଯାଞ୍ଚ କରିବା ପାଇଁ ଦେଶର ବିମାନ ବନ୍ଦରଗୁଡ଼ିକରେ ଉଚ୍ଚ କ୍ଷମତା ସଂପନ୍ନ ଥ୍ରି-ଡି ସ୍କାନର ଲଗାଯିବ। ଏହି ଥ୍ରି-ଡି ସ୍କାନର ସାହାଯ୍ୟରେ ଯାତ୍ରୀଙ୍କ ହ୍ୟାଣ୍ଡବ୍ୟାଗରେ ରହିଥିବା ପ୍ରତ୍ୟେକଟି ଜିନିଷକୁ ଯାଞ୍ଚ କରାଯିବା ସହ ସେସବୁର ସ୍ପଷ୍ଟ ଚିତ୍ର ସୁରକ୍ଷା କର୍ମୀମାନେ ଦେଖିପାରିବେ।

ଦେଶର ବିମାନ ବନ୍ଦରଗୁଡ଼ିକର ସୁରକ୍ଷା ଦାୟିତ୍ୱରେ ମୁତୟନ ରହିଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସ୍‌ଏଫ୍‌) ପକ୍ଷରୁ କୁହାଯାଇଛି ଯେ ଏବେ ଦେଶରେ ବିମାନ ଯାତ୍ରୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ଏ ପରିସ୍ଥିତିରେ ଯାତ୍ରୀମାନଙ୍କ ହ୍ୟାଣ୍ଡବ୍ୟାଗ୍‌ରୁ ଲାପ୍‌ଟପ୍‌, ଟାବ୍‌ଲେଟ୍‌ ବା ଅନ୍ୟ ତରଳ ପଦାର୍ଥ ସବୁକୁ ବ୍ୟାଗ୍‌ରୁ ବାହାର କର ସେସବୁ ଯାଞ୍ଚ କଲାବେଳେ ଅଯଥା ସମୟର ଅପଚୟ ହେବା ସହ ଯାତ୍ରୀମାନେ ମଧ୍ୟ ଯାଞ୍ଚ ପାଇଁ ଲାଇନ୍‌ରେ ରହି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଅସୁବିଧାକୁ ଦୃଷ୍ଟିରେ ରଖି ସିଆଇଏସ୍‌ଏଫ୍‌ ପକ୍ଷରୁ ବିମାନ ବନ୍ଦରଗୁଡ଼ିକରେ ଉଚ୍ଚ କ୍ଷମତା ସଂପନ୍ନ ଥ୍ରି-ଡି ସ୍କାନର ଲଗାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ଦଫାରେ ଦେଶର ବଡ଼ ବଡ଼ ଓ ଅଧିକ ସଂଖ୍ୟାରେ ଯାତ୍ରୀ ଭିଡ଼ ରହୁଥିବା ବିମାନ ବନ୍ଦରଗୁଡ଼ିକରେ ଏହି ଉଚ୍ଚ କ୍ଷମତା ସଂପନ୍ନ ଥ୍ରି-ଡି ସ୍କାନର ଲଗାଯିବ। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବିଶ୍ୱର ଅନ୍ୟାନ୍ୟ ବଡ଼ ବଡ଼ ବିମାନ ବନ୍ଦରମାନଙ୍କରେ ଏହି ଉଚ୍ଚ କ୍ଷମତା ସଂପନ୍ନ ଥ୍ରି-ଡି ସ୍କାନର ସାହାଯ୍ୟରେ ଯାତ୍ରୀମାନଙ୍କର ହ୍ୟାଣ୍ଡବ୍ୟାଗ୍‌ ସବୁକୁ ଯାଞ୍ଚ କରା ଯାଇଥାଏ।

ସମ୍ବନ୍ଧିତ ଖବର