ଚେନ୍ନାଇ: ପୋଲାଚି ଯୌନ ଶୋଷଣ ମାମଲାର ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିବା ଘଟଣା ତାମିଲନାଡୁ ସରକାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରି ତାମଲନାଡ଼ୁ ସରକାର ପୋଲାଚି ଯୌନ ଶୋଷଣ ମାମଲାର ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଦେଇ ଥିବାରୁ ଆଜି ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ଆଜି ତାମିଲନାଡ଼ୁ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ଏଥିସହ କ୍ଷତିପୂରଣ ବାବଦରେ ପୀଡ଼ିତାଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେବା ସହ ଏପରି କାର୍ଯ୍ୟ କରିଥିବା କୋଏମ୍ବାଟୋର ଏସ୍ପି ଆର୍ ପାଣ୍ଡିଆରଞ୍ଜନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତାମିଲନାଡ଼ୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୧୩ ତାରିଖରେ ତାମିଲନାଡୁ ସରକାର ପୋଲାଚି ଯୌନ ଶୋଷଣ ମାମଲା ନେଇ ଲେଖିଥିବା ଏକ ସରକାରୀ ପତ୍ରରେ ପୀଡ଼ିତାଙ୍କ ନାମ ପ୍ରକାଶ କରି ଦେଇଥିଲେ। ପରେ, ତାମିଲନାଡ଼ୁ ସରକାରଙ୍କର ଏଇ ପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଥିଲା; ଯେଉଁଥିରେ ପୀଡ଼ିତାଙ୍କ ନାମ, ଅଭିଯୋଗ ଆଣିଥିବା ତାଙ୍କ ଭାଇଙ୍କ ନାମ ଓ ପୀଡ଼ିତା ପଢୁଥିବା କଲେଜର ନାମ ଆଦି ଉଲ୍ଲେଖ କରା ଯାଇଥିଲା।
ହେଲେ, ଭାରତୀୟ ଆଇନ୍ ମୁତାବକ, କୌଣସି ବି ଗଣମାଧ୍ୟମ ସଂସ୍ଥା ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାମାନଙ୍କୁ ଯୌନ ଶୋଷଣର ଶିକାର ହୋଇଥିବା ପୀଡ଼ିତାଙ୍କ ନାମ ଓ ଠିକଣା ପ୍ରକାଶ କରିବାର ଅଧିକାର ଦିଆଯାଇ ନାହିଁ। ଏହି ମାମଲାର ଏଫ୍ଆଇଆର୍ କପିକୁ ବି ସର୍ବସାଧାରଣ କରାଯାଇ ପାରିବ ନାହିଁ। ୨୦୧୮ ମସିହା ଡିସେମ୍ବର ମାସରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଯୌନ ଶୋଷଣର ଶିକାର ହୋଇଥିବା ପୀଡ଼ିତାଙ୍କ ନାମ କୌଣସି ମତେ ପ୍ରକାଶ ନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏପରିକି ପୀଡ଼ିତାଙ୍କ ମୃତ୍ୟୁ ପରେ ବି ତାଙ୍କ ନାମ ପ୍ରକାଶ ନ କରିବା ପାଇଁ ବି ସୁପ୍ରିମ୍ କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି।