ସମଲିଙ୍ଗୀ ହିନ୍ଦୁତ୍ୱ ବିରୋଧୀ: ସୁବ୍ରମଣ୍ୟମ୍‌ ସ୍ୱାମୀ

ଧାରା ୩୭୭ ଶୁଣାଣି ଆରମ୍ଭମାନବାଧିକାର ଉଲ୍ଲଂଘନ ହେଉଛି: ପିଟିସନର

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଧାରା ୩୭୭ ପ୍ରସଙ୍ଗରେ ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ଦେଶରେ ସମଲିଙ୍ଗୀ ସମ୍ପର୍କକୁ ଆଇନସିଦ୍ଧ କରାଯିବା ଉଚିତ କି ନୁହେଁ, ତାହା ଉପରେ ପୁଣି ବିତର୍କ ଆରମ୍ଭ କରାଯାଇଛି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ନୂଆ ପାଞ୍ଚଜଣିଆ ସମ୍ବିଧାନ ପୀଠ ସମ୍ମୁଖରେ ପିଟିସନରଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗିଙ୍କ କହିବାନୁଯାୟୀ ଧାରା ୩୭୭ ମାନବାଧିକାରର ଉଲ୍ଲଂଘନ କରୁଛି। ଏଥିରେ କେବଳ ଲିଙ୍ଗଗତ ପସନ୍ଦ ଉପରେ ବ୍ୟାଖ୍ୟା କରାଯାଇଛି। ଲିଙ୍ଗକୁ ନେଇ ଏହାର କୌଣସି ଯାଆସ ନାହିଁ। ତେଣୁ ଲିଙ୍ଗ ଓ ଲିଙ୍ଗଗତ ପସନ୍ଦକୁ ସମାନ ଭାବେ ତଉଲିବା ଉଚିତ ନୁହେଁ। ସେ କହିଛନ୍ତି, ସମାଜ ବଦଳିବାରେ ଲାଗିଛି, ମୂଲ୍ୟବୋଧ ବି ବଦଳିଛି। ତେଣୁ ୧୬୦ ବର୍ଷ ପୂର୍ବେ ଯେଉଁ ନୈତିକ ମୂଲ୍ୟବୋଧ ଥିଲା ତାହା ଆଜି ବଦଳିଥାଇପାରେ ବୋଲି ସେ କହିଛନ୍ତି। ଏହାପରେ ଖଣ୍ଡପୀଠ ପ୍ରସଙ୍ଗର ବିଭିନ୍ନ ଦିଗକୁ ଯାଞ୍ଚ କରିବେ ବୋଲି କହିଛନ୍ତି। ଜବାବ ରଖିବାକୁ ଅଧିକ ସମୟ ଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଏକ ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି।
ସମଲିଙ୍ଗୀ ସମ୍ପର୍କ ପ୍ରାକୃତିକ କି ସ୍ୱାଭାବିକ ନୁହେଁ। ଏହା ହିନ୍ଦୁତ୍ୱର ବିରୁଦ୍ଧାଚରଣ କରୁଛି। ତେଣୁ ଏଭଳି ମାନସିକତାକୁ କିଭଳି ପ୍ରତିକାର କରାଯାଇ ପାରିବ, ସେଥିପାଇଁ ଡାକ୍ତରୀ ଗବେଷଣାର ଆବଶ୍ୟକତା ରହିଛି। ସୁପ୍ରିମ୍‌କୋର୍ଟରେ ମଙ୍ଗଳବାର ଧାରା ୩୭୭ର ଶୁଣାଣି ଆରମ୍ଭ ହୋଇଥିବା ବେଳେ ଏହା ଉପରେ ନିଜ ମତ ରଖି ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ୱାମୀ ଏଭଳି ଯୁକ୍ତି ଦର୍ଶାଇଛନ୍ତି। ସ୍ୱାମୀ ଆହୁରି କହିଛନ୍ତି ଯେ ସମଲିଙ୍ଗୀ ସମ୍ପର୍କରେ ବିଚାର ପ୍ରକ୍ରିୟା କରିବା ଲାଗି ଏକ ସମ୍ବିଧାନ ପୀଠ ପରିବର୍ତ୍ତେ ସରକାର ଏକ ୭ କି ୯ ଜଣିଆ ବେଞ୍ଚ୍‌ ଉପରେ ବିଚାର କରିବା ଦରକାର ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର