ଅଯୋଧ୍ୟା ମାମଲାର ଶୀଘ୍ର ଶୁଣାଣି ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ରାମଜନ୍ମଭୂମି ବାବରୀ ମସଜିଦ ମାମଲାର ଶୀଘ୍ର ଶୁଣାଣି ଲାଗି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କରିଥିବା ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାକୁ ପରେ ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି ।

ଅଯୋଧ୍ୟାରେ ଉପାସନା କରିବା ତାଙ୍କର ମୌଳିକ ଅଧିକାର ବୋଲି ଦର୍ଶାଇ ସ୍ୱାମୀ ସୁପ୍ରିମକୋର୍ଟରେ ଏହି ପିଟିସନ ଦାଏର କରିଥିଲେ । କିନ୍ତୁ ଏହାକୁ ଯଥା ଶୀଘ୍ର ତାଲିକାଭୁକ୍ତ କରିବା ଆବେଦନକୁ ମୁଖ୍ୟବିଚାରପତି ଦୀପକ ମିଶ୍ର ଓ ଏଏସ ଖାନଓ୍ଵିଲକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାରଜ କରିଦେଇଛନ୍ତି । ଏହାକୁ ‘ପରେ’ ଦେଖାଯିବ ବୋଲି କୋର୍ଟ କହିଛନ୍ତି ।

କିନ୍ତୁ ଏହାର ପ୍ରତିକ୍ରିୟା ରଖି ସ୍ୱାମୀ କହିଛନ୍ତି ଯେ ‘ପରେ’ ଶବ୍ଦର କିଛି ନିର୍ଦ୍ଧିଷ୍ଟ ସମୟସୀମା ନାହିଁ । ଏଣୁ ଏହା ୧୫ ଦିନ ପରେ ମଧ୍ୟ ହୋଇପାରେ। ଏଣୁ ସେ ୧୫ ଦିନ ପରେ ପୁଣି ଥରେ ଆବେଦନ କରିବେ ।

ଗତ ମାର୍ଚ୍ଚ ୧୪ରେ ଏକ ସୁପ୍ରିମକୋର୍ଟ ବେଞ୍ଚ ଶ୍ୟାମ ବେନଗଲ ଓ ତିସ୍ତା ସିତଲବାଡଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଅଯୋଧ୍ୟା ମାମଲାରେ କେବଳ ପକ୍ଷଭୁକ୍ତ ବ୍ୟକ୍ତିମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଆବେଦନ କରିଥିଲେ । ଏହି ମାମଲାରେ ପକ୍ଷଭୁକ୍ତ ହେବାକୁ ସ୍ୱାମୀଙ୍କ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଥିଲେ । କିନ୍ତ ଅଯୋଧ୍ୟାରେ ଉପାସନା କରିବା ତାଙ୍କର ମୌଳିକ ଅଧିକାର ବୋଲି ଦର୍ଶାଇ ସ୍ୱାମୀ ସୁପ୍ରିମକୋର୍ଟରେ ଏକ ଅଲଗା ପିଟିସନ ଦାଏର କରିଥିଲେ । ତାହାକୁ କୋର୍ଟ କାଏମ ରଖିଛନ୍ତି ।

ସମ୍ବନ୍ଧିତ ଖବର