ଆଇଏସ୍‌ ଆତଙ୍କବାଦୀଙ୍କ ଗିରଫଦାରୀ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ଗୁଜରାଟ ରାଜନୀତିରେ ନୂଆମୋଡ଼ ବିକାଶ ପ୍ରସଙ୍ଗ ଗୌଣ, ଆତଙ୍କବାଦ ପଶିଲା

ଅହମଦାବାଦ : ଗୁଜରାଟ ରାଜନୀତି ଅଚାନକ ନୂଆ ମୋଡ଼ ନେଇଛି। ବୋମା ବିସ୍ଫୋରଣ ଘଟାଇବାକୁ ପ୍ରସ୍ତୁତି ଚଳାଇଥିବା ଦୁଇ ଜଣ ଆତଙ୍କବାଦୀଙ୍କୁ ଗୁଜରାଟ ଆତଙ୍କବାଦୀ ନିରୋଧ ବାହିନୀ (ଏଟିଏସ୍‌) ଗିରଫ କରିବା ପରେ ଏହାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ବିକାଶ ପ୍ରସଙ୍ଗ ଅଚାନକ ଉଭେଇ ଯାଇ ଆତଙ୍କବାଦ ପ୍ରସଙ୍ଗ ଧସେଇ ପଶିଛି। ଜଣେ ଆତଙ୍କବାଦୀ ଭରୁଚ ଜିଲ୍ଲାରେ ଅବସ୍ଥିତ ସରଦାର ପଟେଲ ହସ୍ପିଟାଲରେ ବୈଷୟିକ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲା ବୋଲି ଜଣାପଡ଼ିଛି। କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଅହମଦ ପଟେଲ ଏହି ହସ୍ପିଟାଲର ଟ୍ରଷ୍ଟି ଥିଲେ ଏବଂ ଏବେ ବି ପରିଚାଳନା ବୋର୍ଡର ମୁଖ୍ୟ ଭାବେ ରହିଛନ୍ତି। ପଟେଲ ଦାୟିତ୍ୱରେ ଥିବା ବେଳେ ଗିରଫ ଆତଙ୍କବାଦୀକୁ ସେଠାରେ ନିଯୁକ୍ତି ମିଳିଥିଲା ଏବଂ ସେ ଦୀର୍ଘଦିନ ଧରି ସେଠାରେ କାମ କରିଥିବାରୁ ରାଜ୍ୟ ବିଜେପି ଏହି ମାମଲାକୁ କଂଗ୍ରେସ ସହ ଯୋଡ଼ିଛି। ଅନ୍ୟପକ୍ଷରେ କଂଗ୍ରେସ ଏହାର ଜୋର୍‌ଦାର ବିରୋଧ କରିଛି।

ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି କହିଛନ୍ତି ଏହି ମାମଲାରେ ଅହମ୍ମଦ ପଟେଲଙ୍କ ସଂପୃକ୍ତି ରହିଛି ଏବଂ ଏଥିପାଇଁ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ଉଚିତ। ବିଜେପିର ଏହି ଦାବିକୁ ଭିତ୍ତିହୀନ ଏବଂ ଷଡ଼ଯନ୍ତ୍ରମୂଳକ ବୋଲି ଅହମ୍ମଦ ପଟେଲ କହିଛନ୍ତି। ଜାତୀୟ ସୁରକ୍ଷା ପ୍ରସଙ୍ଗକୁ ରାଜନୈତିକ ରଙ୍ଗ ଦେଇ ବିଜେପି ଶସ୍ତା ରାଜନୀତି ଆରମ୍ଭ କରିଛି ବୋଲି ପଟେଲ କହିଛନ୍ତି। ସେ କହିଛନ୍ତି ଏଟିଏସ୍‌ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେ ଓ ତାଙ୍କ ଦଳ ଦାବି କରୁଛନ୍ତି ବୋଲି ପଟେଲ ଟ୍ଵିଟ୍‌ କରିଛନ୍ତି।

ତେବେ କଂଗ୍ରେସ ନେତାମାନଙ୍କ ଛତ୍ରଛାୟାରେ ହିଁ ଜଣେ ଆତଙ୍କବାଦୀ ଏହାର ନେତାଙ୍କ ଦ୍ୱାରା ପରିଚାଳିତ ହସ୍ପିଟାଲରେ ନିୟୋଜିତ ହୋଇଥିଲା ବୋଲି ବିଜେପି ଦୋହରାଇଛି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଯେ କଂଗ୍ରେସ ଏ ସଂପର୍କରେ ସ୍ପଷ୍ଟୀକରଣ ଦେବା ଆବଶ୍ୟକ। ଏହା ଏକ ଗୁରୁତର ପ୍ରସଙ୍ଗ ହୋଇଥିବା ଏବଂ ସଂପୃକ୍ତ ଆତଙ୍କବାଦୀ ପଟେଲଙ୍କ ଦ୍ୱାରା ପରିଚାଳିତ ହସ୍ପିଟାଲରୁ ଗିରଫ ହୋଇଥିବାରୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଏ ନେଇ ଜବାବ ରଖିବାକୁ ସେ ଦାବି କରିଛନ୍ତି। ଏହି ହସ୍ପିଟାଲର ଟ୍ରଷ୍ଟି ପଦରୁ ୨୦୧୪ରେ ପଟେଲ ଇସ୍ତଫା ଦେଇଥିଲେ ଏବଂ ଏବେ ବି ସେ ହସ୍ପଟାଲ ପରିଚାଳନା ବୋର୍ଡର ମୁଖ୍ୟ ଭାବେ ରହିଛନ୍ତି। ଆଇଏସ୍‌ ସଂଗଠନ ସହ ସଂପୃକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପଟେଲଙ୍କ ଅନୁମୋଦନକ୍ରମେ ହିଁ ଚାକିରି ଦିଆଯାଇଥିବାରୁ ଏ ସଂପର୍କରେ କଂଗ୍ରେସର ସ୍ପଷ୍ଟୀକରଣ ଗୁଜରାଟବାସୀ ଚାହୁଛନ୍ତି ବୋଲି ରୂପାନି କହିଛନ୍ତି। କଂଗ୍ରେସର ଜାତୀୟ ପ୍ରବକ୍ତା ରଣଦୀପ ସୁର୍ଯେବାଲା କହିଛନ୍ତି ଯେ ଗୁଜରାଟ ନିର୍ବାଚନରେ ପରାଜୟ ଭୟରେ ବିଜେପି ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗଙ୍କୁ ନେଇ ରାଜୀନତି କରିବା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର