ଆଗକୁ ଅସମ୍ଭାଳ ହୋଇପାରେ ତେଲଦର ! ତେଲ ରପ୍ତାନିକାରୀମାନଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ : ବଢିଚାଲିଥିବା ତେଲଦରକୁ ନେଇ ଭାରତ ସରକାରଙ୍କ ଚିନ୍ତା ଏବେ ଆହୁରି ବଢିଯାଇଛି । ପୂର୍ବରୁ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ଓ ଦୁର୍ବଳ ଟଙ୍କା ଫଳରେ ସରକାର ଚିନ୍ତିତ ଥିବାବେଳେ ଏବେ ଆମେରିକା-ସାଉଦି ଆରବ ବିବାଦ ଫଳରେ ବିଶ୍ୱ ବଜାରରେ ତେଲ ଦର ବ୍ୟାରେଲ ପିଛା ୧୦୦ ଡଲାର ଛୁଇଁବା ଆଶଙ୍କା ଦେଖାଦେଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱର ପ୍ରମୁଖ ତେଲ କମ୍ପାନିମାନଙ୍କ ସହ ଆଲୋଚନା କରି ଭାରତ ପାଇଁ ପେମେଣ୍ଟ ସର୍ତ୍ତାବଳୀ କୋହଳ କରିବାକୁ ଅନୁରୋଧ କରିଛନ୍ତି । ଯୋଗାଣକାରୀ ଦେଶ ଓ ଆମଦାନୀକାରୀ ( ଭାରତ) ମଧ୍ୟରେ ସିଧାସଳଖ ଚୁକ୍ତି ହେଉ ବୋଲି ସେ ଅନୁରୋଧ କରିଛନ୍ତି ।

ଆସନ୍ତା ନଭେମ୍ବର ୪ରୁ ଇରାନରୁ ତେଲ କ୍ରୟ ଉପରେ ଆମେରିକା କଟକଣା ଲଗାଇବ। ଅର୍ଥାତ ଆମେରିକୀୟ ବ୍ୟାଙ୍କମାନେ ଡଲାର ଉପଲବ୍ଧ କରାଇବେ ନାହିଁ । ଏହା ଦ୍ୱାରା ଇରାନରୁ ଭାରତ କିଣୁଥିବା ଶସ୍ତା ତେଲ ଆମଦାନୀ ହ୍ରାସ ପାଇବ । ଯଦିଓ ଭାରତ ଇରାନରୁ ତେଲ କିଣିବା ଅବ୍ୟାହତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି, ଆଗକୁ କେଉଁ କେଉଁ ସମସ୍ୟା ଅସିବ ତାହା ଏବେଠାରୁ କହିବା କଷ୍ଟକର । ଏଣୁ ସାଉଦି ଆରବରୁ ତେଲ ଆମଦାନୀ ବୃଦ୍ଧି କରିବା ପାଇଁ ଭାରତ ନିଷ୍ପତ୍ତି ନେଇଛି । ନଭେମ୍ବରରେ ସାଉଦିରୁ ଅତିରିକ୍ତ ୪ ନିୟୁତ ବ୍ୟାରେଲ ଆମଦାନୀ ପାଇଁ ଭାରତ ନିଷ୍ପତ୍ତି ନେଇଥିବା ଜଣାଯାଇଛି । ସାଉଦି ଆରବ ଏବେ ବିଶ୍ୱର ବୃହତମ ତୈଳ ରପ୍ତାନିକାରୀ ଦେଶର ମାନ୍ୟତା ପାଇଛି ।

ସମ୍ବନ୍ଧିତ ଖବର