ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ଦ୍ୱାରା ଆଠଟି ଗ୍ରହ ଥିବା ଅନ୍ୟ ଏକ ସୌରମଣ୍ଡଳ ଆବିଷ୍କୃତ
ମିଆମି: ଆମ ସୌରମଣ୍ଡଳର ଯେତୋଟି ଗ୍ରହ ପ୍ରାୟ ସେତିକି ଗ୍ରହ ଥିବା ଅନ୍ୟ ଏକ ସୌରମଣ୍ଡଳ ଆବିଷ୍କୃତ ହୋଇଛି। ନାସାର କେପ୍ଲର୍ ସ୍ପେସ୍ ଟେଲିସ୍କୋପ୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ଦ୍ୱାରା ଏହି ସୌରମଣ୍ଡଳର ସନ୍ଧାନ ମିଳିଥିବା କଥା ଗୁରୁବାର ଦିନ ଆମେରିକୀୟ ମହାକାଶ ଏଜେନ୍ସି କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ଆମ ସୌରମଣ୍ଡଳରେ ଗୋଟିଏ ନକ୍ଷତ୍ର ଚାରିପଟେ ସର୍ବାଧିକ ଗ୍ରହ ରହିଛି ବୋଲି ନାସା ଏକ ବିବୃତିରେ କହିଛି। କିନ୍ତୁ, ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହଗୁଡ଼ିକ ଜୀବ ବାସ ଉପଯୋଗୀ ବୋଲି ମନେ ହେଉ ନାହିଁ।
ଆମ ସୌରମଣ୍ଡଳ ବାହାରେ ଆଠଟି ଗ୍ରହ ଥାଇ ସବୁଠୁ ବଡ଼ ସୌରମଣ୍ଡଳ କେପ୍ଲର୍-୯୦ ନାମକ ଏକ ନକ୍ଷତ୍ର ଚର୍ତୁପାର୍ଶ୍ୱରେ ଘୂରୁଛି। ଆମ ସୌରମଣ୍ଡଳ ଠାରୁ ଏହାର ଦୂରତା ପ୍ରାୟ ୨, ୫୪୫ ଆଲୋକ ବର୍ଷ।
ଅଷ୍ଟିନ୍ସ୍ଥିତ ଟେକ୍ସାସ୍ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ ଆଣ୍ଡ୍ରିଉ ଭ୍ୟାଣ୍ଡର୍ବର୍ଗ କହନ୍ତି: କେପ୍ଲର୍-୯୦ର ନକ୍ଷତ୍ର ପ୍ରଣାଳୀ ହେଉଛି ଆମ ସୌରମଣ୍ଡଳର ଏକ କ୍ଷୁଦ୍ର ସଂସ୍କରଣ। କ୍ଷୁଦ୍ର ଗ୍ରହ ସବୁ ସୌରମଣ୍ଡଳ ଭିତରେ ରହିଛି ଏବଂ ବାହାରେ ରହିଛି ବଡ଼ ବଡ଼ ଗ୍ରହ। କିନ୍ତୁ, ସବୁ ଗ୍ରହ ଜାକିଜୁକି ହୋଇ ରହିଲା ପରି ପାଖକୁ ପାଖ ଅଛନ୍ତି।
ନୂତନ ଭାବେ ଚିହ୍ନିତ ଗ୍ରହ, କେପ୍ଲର୍-୯୦ଆଇ ହେଉଛି ପୃଥିବୀ ପରି ଏକ ପଥୁରିଆ ଗ୍ରହ। ଏହା ନିଜ ନକ୍ଷତ୍ର ଚାରିପଟେ ୧୪. ୪ ଦିନରେ ଥରେ ପରିକ୍ରମଣ କରିଥାଏ। ଅର୍ଥାତ୍ ପୃଥିବୀରେ ଦୁଇ ସପ୍ତାହ ଯାହା ସେଠାରେ ଗୋଟିଏ ବର୍ଷ ତାହା।
ଭ୍ୟାଣ୍ଡର୍ବର୍ଗ କହନ୍ତି: କେପ୍ଲର୍-୯୦ଆଇକୁ ପରିଦର୍ଶନରେ ଯିବାକୁ ମନ ହେବ ନାହିଁ। କାରଣ ଏହାର ଭୂପୃଷ୍ଠ ଅତି ଉତ୍ତପ୍ତ।
ନାସାର ହିସାବ ଅନୁସାରେ ସେଠାକାର ହାରାହାରି ଉତ୍ତାପ ୮୦୦ ଡିଗ୍ରୀ ଫାରେନ୍ହିଟ୍। ସୂର୍ଯ୍ୟର ନିକଟତମ ଗ୍ରହ ବୁଧର ଉତ୍ତାପ ସହ ତାହା ପ୍ରାୟ ସମାନ।
ଗୁଗଲ୍ର ମେକାନିକ୍ ଲର୍ଣ୍ଣିଂ ବ୍ୟବହାର କରି ତାହାକୁ ଆବିଷ୍କାର କରିଥିବା କଥା ବୈଜ୍ଞାନିକମାନେ କହୁଛନ୍ତି।
୨୦୦୯ରେ କେପ୍ଲର୍ ଟେଲିସ୍କୋପ୍ କାର୍ଯ୍ୟ ଆରମ୍ଭ କରିଥିଲା। ଏଯାବତ୍ ତାହା ୧୫୦, ୦୦୦ ତାରକାଙ୍କୁ ଅନୁଧ୍ୟାନ କରି ସାରିଲାଣି।
ଜ୍ୟୋତିର୍ବିଜ୍ଞାନୀମାନେ କହିସାରିଛନ୍ତି ଯେ କେପ୍ଲର୍ ତଥ୍ୟା ବ୍ୟବହାର କରି ସେମାନେ ଦୂରାନ୍ତରେ ଅବସ୍ଥିତ ପ୍ରାୟ ୨୫୦୦ ବିଶ୍ୱ ଠାବ କରିଛନ୍ତି।
କେପ୍ଲର୍ ମିସନ୍ ଯୋଗାଡ଼ କରିଥିବା ଏତେ ଗୁଡ଼ିଏ ତଥ୍ୟ ବିଶ୍ଳେଷଣ କରିବା ମନୁଷ୍ୟ ପକ୍ଷେ ଅସମ୍ଭବ ମନେ ହେବାରୁ ଗୁଗଲ୍ ରିସର୍ଚ ଟିମ୍ର କ୍ରିଷ୍ଟୋଫର୍ ଶାଲ୍ୟୁ ନାମକ ଜଣେ ବରିଷ୍ଠ ସଫ୍ଟ୍େଓ୍ଵର୍ ଇଞ୍ଜିନିୟର୍ ଜ୍ୟୋତିର୍ବିଜ୍ଞାନରେ ନ୍ୟୁରାଲ୍ ନେଟ୍ଓ୍ଵାର୍କସ୍ ପ୍ରୟୋଗ କରି ସଫଳ ହୋଇଛନ୍ତି।
କେପ୍ଲର୍ ସଂଗ୍ରହ କରିଥିବା ଆହୁରି ୧୫୦ ହଜାରରୁ ଅଧିକ ନକ୍ଷତ୍ର ସମ୍ପର୍କୀୟ ତଥ୍ୟ ପଡ଼ି ରହିଛି। ସେ ସବୁକୁ ନ୍ୟୁରାଲ୍ ନେଟ୍ଓ୍ଵାର୍କସ୍ ପ୍ରୟୋଗ କରି ବିଶ୍ଳେଷଣ କରାଗଲେ ଆହୁରି ଅଧିକ ଗ୍ରହର ସନ୍ଧାନ ମିଳିବ ବୋଲି ଆଶା କରାଯାଉଛି।
ବ୍ରହ୍ମାଣ୍ଡରେ ପୃଥିବୀ ପରି ଅନେକ ଗ୍ରହ ଥିଲେ ମଧ୍ୟ ସେଗୁଡ଼ିକୁ ଠାବ କରିବା କାଠିକର ପାଠ ମନେ ହେଉଛି। ଦିନେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ପ୍ରୟୋଗ କରି ସେ ସବୁକୁ ଚିହ୍ନଟ କରାଯାଇ ପାରିବ ବୋଲି ବିଜ୍ଞାନୀମାନେ ମତ ଦେଉଛନ୍ତି।
ଏହି ତଥ୍ୟ ଦି ଆଷ୍ଟ୍ରୋନମିକାଲ୍ ଜର୍ଣ୍ଣାଲ୍ରେ ପ୍ରକାଶ ପାଇଛି।