ଇମ୍ରାନଙ୍କୁ ରୋକିବା ପାଇଁ ବିରୋଧୀ ଏକଜୁଟ୍‌

ମିଳିତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତି

ଇସ୍‌ଲାମାବାଦ: ପାକିସ୍ତାନରେ  ଇମ୍ରାନ୍‌ ଖାନ୍‌ଙ୍କ ତେହରିକ୍‌ ଏ ଇନ୍‌ସାଫ୍‌ (ପିଟିଆଇ) ପାର୍ଟିକୁ ସରକାର ଗଠନରୁ ରୋକିବା ପାଇଁ ଏବେ ଦୁଇ ପ୍ରମୁଖ ବିରୋଧୀ ଦଳ ପିଏମ୍‌୍‌ଏଲ୍‌-ଏନ୍‌ ଏବଂ ପିପିପି ହାତ ମିଳାଇଛନ୍ତି। ଏହି ଦୁଇ ଦଳ ଅନ୍ୟ କ୍ଷୁଦ୍ର ଆଞ୍ଚଳିକ   ଦଳଙ୍କ ସହ ହାତ ମିଳାଇ ଇମ୍ରାନ୍‌ଙ୍କ ବିରୋଧରେ ମିଳିତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସଂସଦରେ ଉପସ୍ଥାପନ କରିବାକୁ ଯୋଜନା କରୁଛନ୍ତି। ଫଳରେ ଇମ୍ରାନ୍‌ଙ୍କ ପାଇଁ ସରକାର ଗଠନ ପ୍ରକ୍ରିୟା ଏତେ ସହଜ ହେବ ନାହିଁ ଏବଂ ସରକାର ଗଠନ ହେଲେ ମଧ୍ୟ ଏହା କେତେଦିନ ତିଷ୍ଠିବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି। ପିପିପି ଏବଂ ପିଏମ୍‌୍‌ଏଲ- ଏନ୍‌ ସହିତ ଆଉ ୩ଟି ଜାତୀୟତାବାଦୀ ଆଞ୍ଚଳିକ ଦଳ ହାତ ମିଶାଇଥିବା ଜଣାପଡ଼ିଛି ।  ପାକିସ୍ତାନ ଜାତୀୟ ପରିଷଦର ୨୭୨ ଆସନରୁ ଇମ୍ରାନ୍‌ଙ୍କ ଦଳକୁ ୧୧୬ ଆସନ ମିଳିଛି। ତେବେ ସେନା ସହାୟତାରେ ବ୍ୟାପକ ଜାଲିଆତି, ବୁଥ୍‌୍‌ ଜବରଦଖଲ ଏବଂ ଲୋକଙ୍କୁ ଭୟଭୀତ କରି ପିଟିଆଇ ଏହି ସଫଳତା ପାଇଥିବା ଅଭିଯୋଗ କରି ବିରୋଧୀ ଦଳ ଏବେ ଏକଜୁଟ ହୋଇଛି। ଇମ୍ରାନଙ୍କ ପାଇଁ ଏବେ ଆହୁରି ପ୍ରାୟ ୨୨ ସଦସ୍ୟଙ୍କ ସମର୍ଥନ ଜରୁରୀ ଥିବାବେଳେ ସମର୍ଥନକୁ ନେଇ ଛକାପଂଝା ଜାରି ରହିଛି। ପିଏମ୍‌୍‌ଏଲ୍‌-ଏନ୍‌ ୬୪ ଆସନ ଦଖଲ କରିଥିବା ବେଳେ ପିପିପି ୪୩ ଆସନ ହାସଲ କରିଛି। ଏବେ ଦୁଇ ଘୋର ବିରୋଧୀ ହାତ ମିଳାଇଥିବାରୁ ଆଗକୁ ପାକିସ୍ତାନ ରାଜନୀତି ନୂଆ ମୋଡ଼ ନେବ ବୋଲି କୁହାଯାଉଛି। ଇମ୍ରାନ୍‌ଙ୍କ ଦଳ ଆଜି ଏକ ଜରୁରୀ ବୈଠକରେ ଏ ବାବଦ ଆଲୋଚନା କରିଛି।

 

ଏନ୍‌ଏବିର ସମନ

ଇସ୍‌ଲାମାବାଦ,୩/୮: ପାକିସ୍ତାନର ପ୍ରାଦେଶିକ ସରକାରଙ୍କ ହେଲିକପ୍‌୍‌ଟରକୁ ବ୍ୟକ୍ତିଗତ କାମରେ ବେଆଇନ ଭାବେ ବ୍ୟବହାର କରିଥିବାରୁ ଭାବୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଜାତୀୟ ଉତ୍ତରଦାୟିତ୍ୱ ବ୍ୟୁରୋ (ଏନ୍‌୍‌ଏବି) ଆଜି ସମନ କରିଛି। ଏନ୍‌୍‌ଏବିରେ ହାଜର ହୋଇ ନିଜର ପକ୍ଷ ରଖିବାକୁ ଇମ୍ରାନ୍‌ଙ୍କୁ କୁହାଯାଇଛି। ଇମ୍ରାନ ୭୨ ଘଣ୍ଟା ପର୍ଯ୍ୟନ୍ତ ସରକାରୀ ହେଲିକପ୍‌୍‌ଟର ନିଜ ନିୟନ୍ତ୍ରଣରେ ରଖି ବ୍ୟବହାର କରିଥିବାରୁ  ପାକିସ୍ତାନ ସରକାରଙ୍କ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରାଜସ୍ୱ କ୍ଷତି ହୋଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର