ଉତ୍ତରପ୍ରଦେଶରେ ୪ଲକ୍ଷ ସରକାରୀ ନିଯୁକ୍ତି ଦିଆଯିବ : ଯୋଗୀ

ଲକ୍ଷ୍ନୌ: ଗୋରଖପୁର ଓ ଫୁଲପୁର ଉପନିର୍ବାଚନରେ ହାରିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକମାନଙ୍କ ଭରଷା ଫେରିପାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ରାଜ୍ୟରେ ବିଜେପି ସରକାର ଗଠନର ଏକବର୍ଷ ପୂର୍ତ୍ତି ଅବସରରେ ରାଜ୍ୟରୁ ଦୁର୍ନୀତି ଦୂର କରିବା ଓ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ସେ କେତେକ ବିଶେଷ ପଦକ୍ଷେପ ଘୋଷଣା କରିଛନ୍ତି । ଏକ ବର୍ଷ ମଧ୍ୟରେ ବିଭିନ୍ନ ସରକାରୀ ବିଭାଗରେ ପ୍ରାୟ ୪ ଲକ୍ଷ ନିଯୁକ୍ତି ଦିଆଯିବ । ରାଜ୍ୟର ୬୪ଟି ସରକାରୀ ବିଭାଗରେ ଏସବୁ ନିଯୁକ୍ତି ଦିଆଯିବ । ପୋଲିସ କନଷ୍ଟେବଲଠାରୁ ଆରମ୍ଭ କରି ବିଡିଓ, ରାଜସ୍ୱ ଅଧିକାରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯିବ ବୋଲି ଯୋଗୀ ଘୋଷଣା କରିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ଦୁର୍ନୀତିର ମୂଳୋତ୍ପାଟନ କରିବା ପାଇଁ ଏକ ଅଭିନବ ପଦକ୍ଷେପ ନେଇଛନ୍ତି ଯୋଗୀ ସରକାର । ଏଥିପାଇଁ ଏକ ଦୁର୍ନୀତି ନିବାରଣ ପୋର୍ଟାଲ ଖୋଲାଯାଇଛି । ରାଜ୍ୟପାଳ ରାମନାଏକ ଏହାର ଉନ୍ମୋଚନ କରିଛନ୍ତି । ଏହା ମାଧ୍ୟମରେ ଲୋକମାନେ ବିଭିନ୍ନ ଦୁର୍ନୀତି ଅଭିଯୋଗ ସଂପର୍କରେ ତଥ୍ୟ ଓ ପ୍ରମାଣ ସହ ଅପଲୋଡ କରିପାରିବେ । ଅପଲୋଡ ହେବା ପରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟରୁ ଦୁର୍ନୀତି ହଟାଇବାରେ ଏହା ସହାୟକ ହେବ ବୋଲି ଯୋଗୀ କହିଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର