ନୂଆଦିଲ୍ଲୀ: ଭାରତୀୟ ନୌସେନା କମାଣ୍ଡର ଅଭିଳାଷ ଟୋମିଙ୍କୁ ୩ ଦିନ ପରେ ଭାରତ ମହାସାଗରରୁ ଉଦ୍ଧାର କରାଯାଇଛି। ଫ୍ରାନ୍ସର ଏକ ମାଛଧରା ଡଙ୍ଗା ‘ଓସିରିସ୍’ ଦ୍ୱାରା ସେ ଉଦ୍ଧାର ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଫ୍ରାନ୍ସରେ ଚଳିତବର୍ଷ ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ‘ଗୋଲ୍ଡେନ୍ ଗ୍ଲୋବ୍ ରେସ୍’ରେ ଟୋମି ଭାରତରୁ ପ୍ରତିନିଧିତ୍ୱ କରିଥିଲେ। କିନ୍ତୁ ଶୁକ୍ରବାର ସେ ଦକ୍ଷିଣ ଭାରତ ମହାସାଗରରେ କିଛି ବାଟ ଯିବା ପରେ ନିଖୋଜ ହୋଇଯାଇଥିଲେ। ୩ ଦିନ ଧରି ତାଙ୍କର କୌଣସି ଖୋଜଖବର ମିଳିନଥିଲା। ତାଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ନୌସେନା ସମେତ ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସର ନୌସେନା ପକ୍ଷରୁ ଜୋର୍ଦାର ଉଦ୍ୟମ କରାଯାଇଥିଲା।
୩୯ ବର୍ଷୀୟ କୀର୍ତ୍ତି ଚକ୍ର ପୁରସ୍କାରପ୍ରାପ୍ତ ଟୋମି ‘ଥୁରିୟା’ ନାମକ ଏକ ନୌକା ସହିତ ନୌଚାଳନା ପ୍ରତିଯୋଗିତାରେ ଭାଗନେଇଥିଲେ। କିନ୍ତୁ ସାମୁଦ୍ରିକ ଝଡ଼ ଯୋଗୁ ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିଲା। ତାଙ୍କ ନୌକାର ଦୁଇପଟ ପବନ ଯୋଗୁ ଭାଂଗିଯାଇଥିଲା। ତେବେ ଝଡ଼କୁ ସାମ୍ନା କରିବା ପୂର୍ବରୁ ଟୋମି ୧୮ ପ୍ରତିଯୋଗୀଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଥିଲେ। ଭାରତୀୟ ନୌସେନା ମୁଖପାତ୍ର କ୍ୟାପ୍ଟେନ୍ ଡି କେ ଶର୍ମା କହିଛନ୍ତି, ଟୋମି ଏବେ କଥା କହିପାରୁଛନ୍ତି। ତାଙ୍କ ମେରୁଦଣ୍ଡରେ ପ୍ରବଳ ଆଘାତ ଲାଗିଛି। ତାଙ୍କ କହିବାନୁଯାୟୀ, ପର୍ଥର ଦକ୍ଷିଣ ପଶ୍ଚିମଠାରୁ ପ୍ରାୟ ୧,୯୦୦ ମାଇଲ୍ ଅତିକ୍ରମ କରିବା ପରେ ତାଙ୍କ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର