କେନ୍ଦ୍ରକୁ ମମତାଙ୍କ ଜବାବ : ୫ ଆଇପିଏସ ଅଫିସରଙ୍କ ମେଡାଲ ଫେରାଇ ନେଲେ, ସେମାନଙ୍କୁ ବଙ୍ଗବିଭୂଷଣ ପୁରସ୍କାର ଦେବି

ନୂଆଦିଲ୍ଲୀ  :  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସହ ଧାରଣାରେ ବସିଥିବା ପ୍ରାୟ  ୫ ଜଣ ଆଇପିଏସ ଅଧିକାରୀଙ୍କ ଠାରୁ କେନ୍ଦ୍ର ସରକାର ମେଡାଲ ଫେରାଇ ନେଲେ ତାହାର ଜବାବ ଦିଆଯିବ ବୋଲି ମମତା କହିଛନ୍ତି । ସେ କହିଛନ୍ତି ଯଦି କେନ୍ଦ୍ର ସେମାନଙ୍କଠାରୁ ମେଡାଲ ଫେରାଇ ନିଏ ସେମାନଙ୍କୁ ପଶ୍ଚିମବଙ୍ଗ ସରକାର ବଙ୍ଗବିଭୁଷଣ ପୁରସ୍କାର ଦେବେ । ତେବେ ଏହି ଅଫିସରମାନେ ଧାରଣରେ ବସିନଥିଲେ, ବରଂ ତାଙ୍କ ସୁରକ୍ଷା ପାଇଁ ଥିଲେ ବୋଲି ସେ କହିଛନ୍ତି ।

ଗତ କାଲି ଏହି ୫ ଜଣ ଆଇପିଏସ ଅଫିସରଙ୍କ ବିରୋଧରେ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ସଂକେତ ଦେଇଥିଲା । ସେମାନେ ଅଲ ଇଣ୍ଡିଆ ସର୍ଭିସ ରୁଲ୍ସର ଉଲ୍ଲଙ୍ଘନ କରିଥିବା କେନ୍ଦ୍ର ସରକାରଙ୍କ ହୃଦବୋଧ ହୋଇଛି । ଏଥିପାଇଁ ସେମାନଙ୍କୁ ଉତ୍ତମ ସେବା ପାଇଁ ଦିଆଯାଇଥିବା ମେଡାଲ ଫେରେଇ ନିଆଯିବ । ସେମାନଙ୍କୁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟକରିବାକୁ ବାରଣ କରାଯିବ । ଅନ୍ୟପକ୍ଷରେ ୟୁନିଫର୍ମରେ ଥିବା ଅଫିସରମାନେ ଯେପରି ସରକାରୀ ନିୟମାବଳୀ ଓ ଶୃଙ୍ଖଳା ରକ୍ଷା କରନ୍ତିତାହା ନିଶ୍ଚିତ କରିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶାବଳୀ ଜାରି କରିବ ।

ସୂଚନାଯୋଗ୍ୟ ଯେ ଗତ ରବିବାରଦିନ ମମତା ବାନାର୍ଜିଙ୍କ ସହ ବିବାଦୀୟ ଆଇପିଏସ ଅଫିସର ରାଜୀବ କୁମାର ଓ ଆଉ କେତେକ ଆଇପିଏସ ଅଫିସର ଧାରଣାରେ ବସିଥିଲେ । ରାଜୀବ କୁମାରଙ୍କ ଉପରେ ସିବିଆଇ ସମନ ପ୍ରତିବାଦରେ ସେମାନେ ଏହି ଧାରଣାରେ ବସିଥିଲେ ।

ସମ୍ବନ୍ଧିତ ଖବର