ଛତିଶଗଡ଼ ନିର୍ବାଚନ : ୭୨% ମତଦାନ

O କମିଲା ଭୋଟ୍‌ ହାର O ଡିସେମ୍ବର ୧୧ରେ ଫଳ

ରାୟପୁର: ଛତିଶଗଡ଼ର ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ମଙ୍ଗଳବାର ଶେଷ ‌ହୋଇଛି। ଅପରାହ୍ନ ୫ଟା ସୁଦ୍ଧା ମତଦାନ ସରିଥିବା ବେଳେ ପ୍ରାୟ ୭୨ ପ୍ରତିଶତ ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ ୧୯ ଜିଲ୍ଲାର ୭୨ ବିଧାନସଭା ଆସନରେ ଆଜି ସକାଳ ୮ଟା ବେଳେ ମତଦାନ ଆରମ୍ଭ ହୋଇଥିଲା। ଦିନତମାମ କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍‌ ଗ୍ରହଣ ହୋଇଥିଲା। ଅପରାହ୍ନ ୫ଟାରେ ମତଦାନ ଶେଷ ହୋଇଥିଲା। ଶେଷ ସୁଦ୍ଧା ୭୧.୯୩ ପ୍ରତିଶତ ମତଦାନ ହୋଇଥିବା ସେମାନେ ଦର୍ଶାଇଛନ୍ତି।
ମତଦାନ ସମୟ ‌ଶେଷ ହେବା ପରେ ମଧ୍ୟ ‌କିଛି ବୁଥ୍‌ରେ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଫଳରେ ମତଦାନ ଜାରି ରହିଥିଲା। ଆଉ କିଛି ସମ୍ବେଦନଶୀଳ ମତଦାନ କେନ୍ଦ୍ରରେ ଲୋକମାନେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ୍‌ ଦେଇଥିଲେ। ମୁଖ୍ୟମନ୍ତ୍ରୀ ରମଣ ସିଂହ, ତାଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟ, ବିଜେପି ଜାତୀୟ ସାଧାରଣ ସମ୍ପାଦକ ସରୋଜ ପାଣ୍ଡେ, ରାଜନନ୍ଦଗାଓଁ ସାଂସଦ ଅଭିଷେକ ସିଂହ, ବିଧାନସଭା ବିରୋଧୀ ଦଳ ନେତା ଟି ଏସ୍‌ ସିଂହଦେଓ ପ୍ରମୁଖ ନିଜ ନିଜ ନିର୍ବାଚନମଣ୍ଡଳୀରେ ମତଦାନ କରିଥିଲେ। ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି।
ଦ୍ବିତୀୟ ପର୍ଯ୍ୟାୟରେ ୧,୦୭୯ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ଏମାନଙ୍କ ମଧ୍ୟରେ ୧୧୯ ମହିଳା ପ୍ରାର୍ଥୀ ଅନ୍ତର୍ଭୁକ୍ତ। ମତଦାନ ପାଇଁ ରାଜ୍ୟରେ ମୋଟ ୧୯,୩୩୬ ବୁଥ୍‌ ସ୍ଥାପନ କରାଯାଇଥିଲା। ଦେଢ଼ଲକ୍ଷରୁ ଅଧିକ ପୁଲିସ ମୁତୟନ ହୋଇଥିଲେ। ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ରେ ମୋଟ ୧,୫୪,୦୦,୫୯୬ ଜଣ ମତଦାନ କରିଥିଲେ। ଆସନ୍ତା ମାସ ୧୧ ତାରିଖରେ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର