ଜମ୍ମୁ-କଶ୍ମୀର କଟକଣା, ଅଟକ ୪ ହଜାରଙ୍କ ମଧ୍ୟରୁ ୩୧୦୦ ମୁକ୍ତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଏବେ ହିଂସା ସୃଷ୍ଟି ପାଇଁ ବିଚ୍ଛିନ୍ନତାବାଦୀ ଏବଂ ପାକ୍‌ ସମର୍ଥିତ ହିଂସା ସୃଷ୍ଟିକାରୀ ବ୍ୟାପକ ପ୍ରୟାସ କରୁଛନ୍ତି। ସେମାନେ ଦୋକାନ ବଜାର ବନ୍ଦ କରିବାପାଇଁ ଲୋକଙ୍କୁ ବାଧ୍ୟ କରୁଛନ୍ତି। ଏହାଦ୍ବାରା ସାଧାରଣରେ ଭୟ ଓ ଆତଙ୍କର ବାତାବରଣ ଲାଗି ରହିଛି। । ଲୋକମାନଙ୍କୁ ଦୋକାନ ବଜାର ବନ୍ଦ କରିବାପାଇଁ ବାଧ୍ୟ କରୁଥିବା ପ୍ରାୟ ୩୦ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷେ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଜମ୍ମୁ କଶ୍ମୀରରେ ଅଗଷ୍ଟ ୫ ତାରିଖରୁ ପ୍ରାୟ ୪୦୦୦ ଜଣ ଅଟକ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୧୦୦ ଲୋକଙ୍କୁ ମୁକ୍ତ କରାଯାଇଛି। ସିଆର୍‌ପିସିର ଧାରା ୧୦୭ ଅଧୀନରେ ଅନେକ ଅଟକ ଥିବାବେଳେ ପିଏସ୍‌ଏ ଅଧୀନରେ ୨୩୦-୨୫୦ ଜଣ ଅଟକ ରହିଛନ୍ତି। ପିଏସ୍‌ଏ ଅଧୀନରେ ଅଟକ ରହିଥିବା ଅନେକଙ୍କୁ ଜମ୍ମୁ କଶ୍ମୀର ଜେଲ୍‌ ବାହାରକୁ ସ୍ଥାନାନ୍ତର କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ମଧ୍ୟ ପିଏସ୍‌ଏ ଅଧୀନରେ ଅଟକ ରହିଛନ୍ତି। ଅନ୍ୟପକ୍ଷେ ହୁରିୟତ ନେତା ମିରୱେଜ୍‌ ଏବଂ ଅନ୍ୟ ୬ ଜଣ କଶ୍ମୀର ନେତା ନିଜକୁ ମୁକ୍ତ କରିବା ପାଇଁ ବଣ୍ଡ୍‌ ସ୍ବାକ୍ଷର କରିଥିବା ନେଇ ଗତକାଲି ଖବର ପ୍ରକାଶ ପାଇଥିଲା। କିନ୍ତୁ ମିରୱେଜ୍‌ ଆଜି ଏ ସଂକ୍ରାନ୍ତରେ ଏକ ବିବୃତି ଜାରି କରି କହିଛନ୍ତି ସେ ଏବେ ବି ଗୃହବନ୍ଦୀ ଅଛନ୍ତି ଏବଂ ସେ ମୁକ୍ତ ହେବାପାଇଁ କୌଣସି ବଣ୍ଡ୍‌ ସ୍ବାକ୍ଷର କରିନାହାନ୍ତି।

ସମ୍ବନ୍ଧିତ ଖବର