ଲାଲୁଙ୍କ ଶନିଦଶା

ରାଞ୍ଚି: ଗୋଖାଦ୍ୟ ଦୂର୍ନୀତି ମାମଲାରେ ରାଞ୍ଚିର ଏକ ଜେଲରେ ଥିବା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଦିନ ବେଶ କଷ୍ଟରେ କଟୁଛି ।  ତାଙ୍କର ଶନିଦଶା ପଡିଛି ବୋଧେ ।  ଏକ ସାଧାରଣ କଏଦୀପରି ସେ ରହୁଛନ୍ତି ଓ ବେଶ ଏକୁଟିଆ ଅନୁଭବ କରୁଛନ୍ତି । ଏହାର କାରଣ ହେଉଛି ସପ୍ତାହରେ ତାଙ୍କୁ ମାତ୍ର ୩ ଜଣଙ୍କୁ ଭେଟିବାକୁ ଦିଆଯାଉଛି ।

ଗତ ଥର ଅର୍ଥାତ୍‌ ୨୦୧୩ରେ ସେ ଆଉ ଏକ ଗୋଖାଦ୍ୟ ଦୂର୍ନୀତି ମାମଲାରେ ଜେଲରେ ଥିଲେ । ସେତେବେଳେ ତାଙ୍କ ଦଳ ଆରଜେଡି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସହ ମିଶି ଝାଡ଼ଖଣ୍ଡରେ କ୍ଷମତାରେ ଥିଲା । ଏଣୁ ସେ ନାଁକୁ ମାତ୍ର ଜେଲରେ ଥିଲେ । କଥାହେଉଛି ତାଙ୍କ ସୁବିଧା ପାଇଁ ଏକ ଗେଷ୍ଟହାଉସକୁ ଅସ୍ଥାୟୀ ଜେଲରେ ପରିଣତ କରାଯାଇଥିଲା । ତାଙ୍କର ସୁଖ ସୁବିଧା ଲାଗି ସବୁ ବ୍ୟବସ୍ଥା କରାଯାଇଥିଲା । ଯିଏ ଯେତେବେଳେ ଚାହୁଁଥିଲା ଭେଟି ପାରୁଥିଲା । ଖିଆପିଆରେ କିଛି ବାରଣ ନଥିଲା ।

କିନ୍ତୁ ଏଥର କଥା ସଂପୂର୍ଣ୍ଣ ଅଲଗା । ଝାଡ଼ଖଣ୍ଡରେ ବିଜେପି ସରକାର ଅଛି । ଏଣୁ ଜଣେ ସାଧାରଣ କଏଦୀଙ୍କ ପରି ତାଙ୍କୁ ରାଞ୍ଚିର ହୋଟ୍‌ଓ୍ଵାର କେନ୍ଦ୍ରୀୟ ଜେଲରେ ତାଙ୍କୁ ରଖାଯାଇଛି । ସାଧାରଣ କଏଦୀଙ୍କ ପରି ଖାଦ୍ୟ ଦିଆଯାଉଛି । ଅବଶ୍ୟ ସେ ହୃଦରୋଗୀ ଓ ମଧୁମେହ ରୋଗୀ ହୋଇଥିବାରୁ ତାଙ୍କ ପାଇଁ ନିୟମ ଟିକିଏ କୋହଳ କରାଯାଇଛି । ନିଜେ ରୋଷେଇ କରିବାକୁ ତାଙ୍କୁ ବେଳେବେଳେ ଅନୁମତି ଦିଆଯାଉଛି । ଅନ୍ୟପକ୍ଷରେ ସପ୍ତାହକୁ ତାଙ୍କୁ ମାତ୍ର ତିନି ଜଣଙ୍କୁ ଭେଟିବାକୁ ଦିଆଯାଉଛି । ଗତ ସପ୍ତାହରେ ପ୍ରଥମ ଦିନରେ ହିଁ ଏହି ସାପ୍ତାହିକ କୋଟା ଶେଷ ହୋଇଯାଇଥିଲା । ଫଳରେ ଆରଜେଡ଼ିର କିଛି ନେତା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ପ୍ରସାଦଙ୍କୁ ଭେଟି ନିୟମକୁ କିଛିଟା କୋହଳ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ନିୟମକୁ ଢିଲା କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଦେଇଥିଲେ ।

ସମ୍ବନ୍ଧିତ ଖବର