ଜୟା ମୃତ୍ୟୁ ମାମଲା: କମିସନଙ୍କ ତଦନ୍ତ ଆରମ୍ଭ, ୩ମାସ ମଧ୍ୟରେ ରିପୋର୍ଟ ଦେବେ

ଚେନ୍ନାଇ: ପୂର୍ବତନ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ନିମନ୍ତେ ଗଠିତ କମିସନ କାର୍ଯ୍ୟ ଆରମ୍ଭ କରିଛି। କମିସନଙ୍କୁ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାର ୩ମାସ ସମୟ ଦେଇଛନ୍ତି। କେଉଁ ପରିସ୍ଥିତିରେ ଜୟା ହସପିଟାଲକୁ ଚିକିତ୍ସା ପାଇଁ ଆସିଲେ ଓ ତାଙ୍କ ଚିକିତ୍ସା ବ୍ୟବସ୍ଥା ନେଇ ତଦନ୍ତ କରିବାକୁ କମିସନଙ୍କୁ ନିର୍ଦ୍ଦେଶ ମିଳିଛି। ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏ. ଅରୁମୁଘସ୍ୱାମୀଙ୍କୁ ଗତ ୨୫ ତାରିଖରେ କମିସନ୍‌ର ମୁଖ୍ୟଭାବେ ନିଯୁକ୍ତ କରାଯାଇଛି।
ମୁଖ୍ୟମନ୍ତ୍ରୀ ଇକେ ପଲାନିସାମି କହିଛନ୍ତି ଯେ ଜୟାଙ୍କ ମୃତ୍ୟୁର ତଦନ୍ତ ପାଇଁ ବିଭିନ୍ନ ସଙ୍ଗଠନ ଓ ଗୋଷ୍ଠୀ ପକ୍ଷରୁ କ୍ରମାଗତ ଦାବି ହୋଇ ଆସିଥିଲା। ଏହାକୁ ଭିତ୍ତିକରି ଗଣମାଧ୍ୟମରେ ବହୁ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିପାଇଁ ସତ୍ୟ ଉନ୍ମୋଚନ ନିମନ୍ତେ ସରକାର ତଦନ୍ତ କମିଶନ ଗଠନ କରିଛନ୍ତି। ଏହି ତଦନ୍ତ ପାଇଁ ଶାସକ ଆନ୍ନା ଡିଏମ୍‌କେର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ’ପନିରସେଲଭମ ମଧ୍ୟ ଦାବି କରିଥିଲେ। ଜୟଲଳିତା ଗତବର୍ଷ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଯାହା ପ୍ରଚାର ହେଉଥିଲା ଏବଂ ନେତାମାନେ ଯେଉଁ ବୟାନ ଦେଉଥିଲେ ତାହା ସଂପୂର୍ଣ୍ଣ ମିଥ୍ୟା ଥିଲା ବୋଲି ରାଜ୍ୟର ବରିଷ୍ଠ ମନ୍ତ୍ରୀ ଡି.ସି. ଶ୍ରୀନିବାସନ ଗତ ୨୩ ତାରିଖରେ ଗଣମାଧ୍ୟମକୁ କହିଥିବାବେଳେ ଆଉ ଜଣେ ବରିଷ୍ଠ ମନ୍ତ୍ରୀ ଏହାକୁ ଖଣ୍ଡନ କରିଥିଲେ। ଜୟା ଚିକିତ୍ସା ପାଇଁ ଗତବର୍ଷ ଆସିବାବେଳେ ଅର୍ଦ୍ଧାଚତନ ଅବସ୍ଥାରେ ଥିଲେ, କିନ୍ତୁ କଥାବାର୍ତ୍ତା କରୁଥିଲେ ବୋଲି ଆପୋଲୋ ହସପିଟାଲ ପକ୍ଷରୁ ଆଜି ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର