ଡାକ୍ତର ତିନୋଟି ଦାନ୍ତ ଉପାଡ଼ି ଦେବାରୁ ରକ୍ତସ୍ରାବ ଯୋଗୁଁ ରୋଗୀଙ୍କ ମୃତ୍ୟୁ

ହୁବ୍ଦାଲ୍ଲି (କର୍ଣ୍ଣାଟକ): ଡାକ୍ତର ବୀରେଶ ମାଗାଲାଡ଼ ତିନୋଟି ଦାନ୍ତ ଉପାଡ଼ି ପକାଇବାରୁ ରକ୍ତସ୍ରାବ ଘଟି ଅବ୍‌ଦୁଲ୍‌ କାଦେର୍‌ ବାଗାଲକୋଟ୍‌ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ବୋଲି କୁହାଯାଉଛି। କିନ୍ତୁ, ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ଜଣକର ମୃତ୍ୟୁ ଘଟିଥିବା କଥାକୁ ଡାକ୍ତର ଅସ୍ୱୀକାର କରିଛନ୍ତି।

କାଦେର୍‌ଙ୍କ ଭାଇ ଅବ୍‌ଦୁଲ୍‌ ରଜାକ୍‌ ପୁଲିସରେ କରିଥିବା ଅଭିଯୋଗ ଅନୁସାରେ, ଡିସେମ୍ବର ୮ ତାରିଖ ଦିନ ରୋଗୀଙ୍କର ଦାନ୍ତ ବିନ୍ଧିବାରୁ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତର ମାଲାଗାଡ଼ଙ୍କ ‘ରତ୍ନା ଡେଣ୍ଟାଲ୍‌ କ୍ଲିନିକ୍‌’କୁ ନିଆ ଯାଇଥିଲା। ଡାକ୍ତର ତାଙ୍କର ତିନୋଟି ଦାନ୍ତ ଉପାଡ଼ି ଦେଇଥିଲେ। ଦାନ୍ତ ଉପଡ଼ା ହେବା ପରେ କାଦେରଙ୍କର ପାଟିରେ ଭୀଷଣ ରକ୍ତସ୍ରାବ ହୋଇଥିଲା। ପରେ ତାଙ୍କୁ ଡିସେମ୍ବର ୯ ତାରିଖ ଦିନ କର୍ଣ୍ଣାଟକ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ (କିମ୍‌ସ୍‌)ରେ ଦାଖଲ କରା ଯାଇଥିଲା।


ଅଭିଯୋଗରେ ଉଲ୍ଲେଖ ଅଛି ଯେ ଡିସେମ୍ବର ୧୧ ତାରିଖ ଦିନ ଡାକ୍ତର ମାଲାଗାଡ଼ କିମ୍‌ସ୍‌ ଯାଇ କୋମାରେ ଥିବା କାଦେର୍‌ଙ୍କ ଟିପ ଚିହ୍ନ ଏକ ଚିଠିରେ ନେଇ ଆସି ଥିଲେ। ରୋଗୀଙ୍କର ଅବସ୍ଥା ପାଇଁ ଦାନ୍ତ ଡାକ୍ତର ଦାୟୀ ନୁହନ୍ତି ବୋଲି ଉକ୍ତ ଚିଠିରେ ଲେଖା ଥିଲା। ଅନୁକମ୍ପା ଦୃଷ୍ଟିରୁ ସେ ରୋଗୀଙ୍କୁ ୧୦ ହଜାର ଟଙ୍କା ଦେଇଛନ୍ତି ବୋଲି କୁହାଯାଉଛି।

ଅତ୍ୟଧିକ ରକ୍ତସ୍ରାବ ହେବାରୁ କାଦେର ରବିବାର ଦିନ କିମ୍‌ସ୍‌ରେ ମରି ଗଲେ ବୋଲି ତାଙ୍କର ଆତ୍ମୀୟ କହୁଛନ୍ତି। ସେଥିପାଇଁ ସେମାନେ ସେ ଦାନ୍ତ ଡାକ୍ତରଙ୍କ ବିରୋଧରେ ଥାନାରେ ଏତଲା ଦେଇ ଛନ୍ତି।

ଡାକ୍ତରଖାନାକୁ ଅଣାଯିବା ସମୟରେ କାଦେର କୋମାରେ ଥିଲେ ବୋଲି କିମ୍‌ସ୍‌ର ନିର୍ଦେଶକ ଡାକ୍ତର ଡି ଡି ବନ୍ତ କହିଛନ୍ତି। ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଇଥିଲା। ଦୁଇ ଦିନ ପୂର୍ବରୁ ଅଣାଯାଇଥିଲେ ଆମେ ତାଙ୍କୁ ବଞ୍ଚାଇ ପାରି ଥାଆନ୍ତୁ। ବ୍ୟବଚ୍ଛେଦ ପରେ ମୃତ୍ୟୁର ବାସ୍ତବ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।


ଡାକ୍ତର ମାଗାଲାଡ଼ କହନ୍ତି: ରୋଗୀଙ୍କର ଭୀଷଣ ରକ୍ତସ୍ରାବ ହେଉଥିବା କଥା ତାଙ୍କ ପରିବାର ମୋତେ ଜଣାଇ ନ ଥିଲେ। ତାଙ୍କର ରକ୍ତସ୍ରାବ ହେଉଛି ଏବଂ ସେ କିମ୍‌ସ୍‌ରେ ଦାଖଲ ହୋଇଛନ୍ତି ବୋଲି ତିନି ଦିନ ପରେ ମୋତେ ସେମାନେ ମୋତେ କହିଥିଲେ। ରୋଗୀ ସେଠାରେ ଦାଖଲ ହେବା ପରେ ଓକିଲ ବୋଲି ଦାବି କରୁଥିବା ଜଣେ ବ୍ୟକ୍ତି ମୋ ଠାରୁ ଅର୍ଥ ନେବାକୁ ଉଦ୍ୟମ କରି ଥିଲେ। ମୁଁ ଡାକ୍ତରଖାନାକୁ ଗଲା ବେଳେ, କାଦେରଙ୍କ ଆତ୍ମୀୟମାନେ କହିଲେ କି, ସେମାନେ ଗରିବ ଲୋକ ଏବଂ କିଛି ଟଙ୍କା ଆବଶ୍ୟକ କରୁଛନ୍ତି। ମାନବୀୟ ଦୃଷ୍ଟି କୋଣରୁ ମୁଁ ତାଙ୍କୁ ୧୦ ହଜାର ଟଙ୍କା ଦେଇ କାଦେରଙ୍କ ଠାରୁ ଏକ ଷ୍ଟେଟ୍‌ମେଣ୍ଟ୍‌ କରାଇ ଆଣିଥିଲି।

କୋମାରେ ଥିବାବେଳେ ରୋଗୀଙ୍କର ଟିପଚିହ୍ନ ଆଣିଥିବା ଅଭିଯୋଗ ସଂକ୍ରାନ୍ତରେ ସେ କହନ୍ତି ଯେ, ରୋଗୀ ଜାଗ୍ରତ ଥିବା ସମୟରେ ସେ ଟିପଚିହ୍ନ ଆଣିଥିଲେ। ରୋଗୀ କୋମାରେ କିଂବା ଆଇସିୟୁରେ ଥିବାବେଳେ କେମିତି କିମ୍‌ସ୍‌ ଆମକୁ ତାଙ୍କର ଟିପଚିହ୍ନ ଆଣିବାକୁ ଅନୁମତି ଦେବ?

ସମ୍ବନ୍ଧିତ ଖବର