ଥ୍ୟାଙ୍କ୍‌ ୟୁ ଗୁଜୁରାଟ ବୋଲି କାହିଁକି ଟୁଇଟ୍‌ କଲେ ଚିଦାମ୍ବରମ୍‌

ନୂଆଦିଲ୍ଲୀ: ୨୦୦ରୁ ଊର୍ଦ୍ଧ୍ୱ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଜିଏସ୍‌ଟି ମୂଲ୍ୟ ହ୍ରାସ କଲାରୁ ଗତକାଲି କଂଗ୍ରେସ ନେତା ପି ଚିଦାମ୍ବରମ୍‌ ‘ଥ୍ୟାଙ୍କ୍‌ ଗୁଜୁରାଟ’ କହିବାର ସୁଯୋଗ ପାଇଛନ୍ତି।

ଗୁଜୁରାଟ କାହିଁକି? ନିର୍ବାଚନ ଆସନ୍ନ ଗୁଜୁରାଟରେ ଅସନ୍ତୁଷ୍ଟ ବ୍ୟବସାୟୀମାନଙ୍କ ତୁଷ୍ଟିକରଣ ଲକ୍ଷ୍ୟରେ ସରକାରଙ୍କ ଏହା ଏକ ପଦକ୍ଷେପ ବୋଲି ଚିଦାମ୍ବରମ୍‌ ସୂଚାଇ ଦେଇଛନ୍ତି।

ସରକାରଙ୍କ ଦ୍ୱାରା ଗତକାଲିର ଟିକସ କାଟ ଗତ ମାସ ଏକ ଛୋଟକାଟିଆ ଟିକସ କାଟକୁ ଅନୁସରଣ କରୁଛି। ଗତ ମାସରେ ଜିଏସ୍‌ଟି କାଉନ୍‌ସିଲ୍‌ ୨୭ଟି ସାମଗ୍ରୀ ଉପରୁ ଟିକସ ମୂଲ୍ୟ ହ୍ରାସ କରାଇଥିଲା। ସେଗୁଡ଼ିକ ମଧ୍ୟରୁ ଅନେକ ଗୁଜୁରାଟର ଉତ୍ପାଦ।

ଚିଦାମ୍ବରମ୍‌ କହିଛନ୍ତି କି, ୨୮%ରୁ ୧୮% ଟିକସ କାଟ କଂଗ୍ରେସ ନିକଟରୁ ଦୋଷଛଡ଼ା ହେବାର ପ୍ରମାଣ। ଜିଏସ୍‌ଟି ମୂଲ୍ୟ ୧୮% ରହୁ ବୋଲି କଂଗ୍ରେସ ସର୍ବଦା କହି ଆସିଛି।

ସରକାରଙ୍କର ୨୮% ଜିଏସ୍‌ଟିକୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ ହିନ୍ଦୀ ଚଳଚ୍ଚିତ୍ରର କୁଖ୍ୟାତ ଖଳନାୟକ ‘ଗବ୍ଦର ସିଂହ ଟ୍ୟାକ୍ସ୍‍’ ବୋଲି ଅଭିହିତ କରିଥିଲେ। ଏବଂ ତାଙ୍କ ପାର୍ଟିର ସହକର୍ମୀ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ୍‌ ଗତକାଲି କହିଛନ୍ତି ଯେ ବିଳମ୍ବରେ ହେଲେ ମଧ୍ୟ ସରକାର ପାନେ ପାଇଲା।

୪ ମାସ ହେବ ପ୍ରବର୍ତ୍ତନ କରାଯାଇଥିବା ଜିଏସ୍‌ଟିରେ ଗତକାଲି ସରକାର ସବୁଠୁ ବଡ଼ ପରିବର୍ତ୍ତନ କରାଇଛନ୍ତି। ୨୮% ଟିକସ ବନ୍ଧନୀରୁ ସରକାର ୮୦% ସାମଗ୍ରୀ ବାହାର କରି ଦେବା ସହ ସେ ସବୁର ଟିକସ ହ୍ରାସ କରିଛନ୍ତି।

କଂଗ୍ରେସ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କୁ ଆକ୍ରମଣ କରୁଥିବାରୁ ଗୁଜୁରାଟ ନିର୍ବାଚନ ଅଭିଯାନରେ ଜିଏସ୍‌ଟି ଉଲ୍ଲେଖଯୋଗ୍ୟ ନିର୍ବାଚନୀ ମାମଲା ସାଜିଥିଲା। ବଡ଼ ବଡ଼ ବ୍ୟବସାୟ ସହ ବୁଝାମଣା କରି କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟ ପ୍ରତି ସରକାର ଉଦାସୀନ ରହୁଛନ୍ତି ବୋଲି କଂଗ୍ରେସ କହି ଆସୁଥିଲା।

ଗତକାଲି ରାହୁଳ ଟୁଇଟ୍‌ କରି କେନ୍ଦ୍ର ସରକାରକୁ କହିଥିଲେ: ନିଜର ଅପାରଗପଣିଆ ସ୍ୱୀକାର କର, ଅହଙ୍କାର ପରିହାର କର ଏବଂ ଭାରତବାସୀଙ୍କ କଥା ଶୁଣ।

କେନ୍ଦ୍ର ସରକାର କହିଛନ୍ତି କି, ସରକାର ଜନଗଣଙ୍କ କଥା ଶୁଣୁଛନ୍ତି ବୋଲି ଗତକାଲିର ଜିଏସ୍‌ଟି ମୂଲ୍ୟ ହ୍ରାସ ଦର୍ଶାଉଛି। ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି: ଏହା ଜନଗଣଙ୍କ ପ୍ରତି ସରକାରଙ୍କର ଦରଦ ପ୍ରଦର୍ଶନ କରୁଛି।

ସମ୍ବନ୍ଧିତ ଖବର