ଧାରା ୩୭୦ ନେଇ ବିରୋ‌ଧୀଙ୍କୁ ମୋଦୀଙ୍କ ଆହ୍ବାନ, ଦମ୍‌ ଅଛି ତ ପୁଣି ଲାଗୁ ପାଇଁ ଘୋଷଣା କର

ଜଲ୍‌ଗାଓଁ: ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଅନେକ ବିରୋଧୀ ଦଳ ପାକିସ୍ତାନର ଭାଷା କହୁଛନ୍ତି। ଯଦି ଦମ୍‌ ଅଛି, ଜମ୍ମୁ-କଶ୍ମୀରରେ ପୁନର୍ବାର ଧାରା ୩୭୦ ଏବଂ ୩୫-ଏ ଲାଗୁ କରିବାକୁ ବିରୋଧୀମାନେ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ଏକ ନିର୍ବାଚନ ରୢାଲିରେ ବିରୋଧୀଙ୍କୁ ଆହ୍ବାନ ଦେଇଛନ୍ତି। ଜଲଗାଓଁରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଦଳମାନେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଯଦି ସେମାନଙ୍କର ସାହସ ଅଛି ତା’ହେଲେ ଏହାକୁ ପୁଣି ଲାଗୁ କରିବା ଏବଂ ତିନି ତଲାକ ଆଇନ ପ୍ରତ୍ୟାହାର କରିନେବାକୁ ସେମାନେ ଘୋଷଣା କରନ୍ତୁ।

କଂଗ୍ରେସ-ଏନ୍‌ସିପି ମେଣ୍ଟକୁ କଡ଼ା ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କିଛି ଦଳ ଏବଂ ନେତା ରାଷ୍ଟ୍ରହିତରେ ନିଆଯାଇଥିବା ପଦକ୍ଷେପକୁ ନେଇ ରାଜନୀତି କରି ଦେଶକୁ କ୍ଷତି ପହଞ୍ଚାଉଛନ୍ତି। ସେମାନଙ୍କ ଭାଷା ଶତ୍ରୁରାଷ୍ଟ୍ରର ଭାଷା ସହିତ ମେଳ ଖାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜମ୍ମୁ-କଶ୍ମୀର କେବଳ ଖଣ୍ଡେ ଭୂମି ନୁହେଁ, ଏହା ଭାରତର ମୁକୁଟ। ଦୀର୍ଘ ୪୦ ବର୍ଷ ଧରି ଯେଉଁଠି ଅସ୍ଥିରତା ଲାଗି ରହିଥିଲା, ବର୍ଷ ବର୍ଷ ଧରି ଯେଉଁ ଭୂଖଣ୍ଡ ଆତଙ୍କବାଦୀଙ୍କ ସ୍ବର୍ଗ ପାଲଟିଥିଲା, ସେଠାରେ ସୁରକ୍ଷା ଦୃଷ୍ଟିକୋଣରୁ ମାତ୍ର କିଛି ଦିନ ପାଇଁ କଟକଣା ଲାଗୁ ହୋଇଛି। ଏହାକୁ ବିରୋଧୀ ହଜମ କରିପାରୁ ନାହାନ୍ତି। ଆଉ କିଛି ଦିନ ମଧ୍ୟରେ ଜମ୍ମୁ-କଶ୍ମୀରରେ ସ୍ଥିତି ସ୍ବାଭାବିକ ହୋଇଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପାକିସ୍ତାନର ଷଡ଼ଯନ୍ତ୍ର ଏବଂ ବିଚ୍ଛିନ୍ନତାବାଦୀଙ୍କ ପାଇଁ ମାନବାଧିକାର ହରାଇଥିବା ଲୋକଙ୍କୁ ଏବଂ ନ୍ୟାୟ ମିଳିବ ବୋଲି ମୋଦୀ କହିଛନ୍ତି। ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ଼୍‌ନାଭିସ ସରକାର ଗତ ପାଞ୍ଚ ବର୍ଷରେ ବହୁତ ଭଲ କାମ କରିଛନ୍ତି ଏବଂ ଚାଷୀଙ୍କର ବିକାଶ ହୋଇଛି ବୋଲି ମୋଦି କହିଛନ୍ତି। ଫଡ଼୍‌ନାଭିସ୍‌ ସରକାରକୁ ପୁନର୍ବାର ନିର୍ବାଚିତ କରିବାକୁ ମୋଦୀ ମହାରାଷ୍ଟ୍ରବାସୀଙ୍କୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର