ଧ୍ୟାନମଗ୍ନ ମାନବ ଆକାରରେ ସବୁଠୁ ଦୂରରେ ଥିବା ଗ୍ରହଖଣ୍ଡ

ୱାସିଂଟନ: ନାସାର ନ୍ୟୁ ହରାଇଜନ୍‌ ଅଭିଯାନ ପକ୍ଷରୁ ଅନ୍ତରୀକ୍ଷରେ ସବୁଠୁ ଦୂରରେ ଥିବା ଏକ ଗ୍ରହଖଣ୍ଡର ପ୍ରଥମ ଛବିକୁ ଛଡାଯାଇଛି। ‘ଅଲ୍‌ଟିମା’ ଏବଂ ‘ଥୁଲେ’ ନାମକ ଦୁଇ ଗ୍ରହଖଣ୍ଡ ମିଶି ସୃଷ୍ଟି ହୋଇଥିବା ଏହି ଗ୍ରହଖଣ୍ଡ ଧ୍ୟାନମଗ୍ନ ଥିବା ମାନବ ଭଳି ଦେଖାଯାଉଛି। ଗ୍ରହ ସୃଷ୍ଟି ହେବାବେଳର ଏହି ଗ୍ରହଖଣ୍ଡ ବା ଅନ୍ତରୀକ୍ଷ ବସ୍ତୁ ‘୨୦୧୪ ଏମ୍‌୍‌ୟୁ ୬୯’ର ଛବିକୁ ୨୦୧୯ ନବବର୍ଷରେ ନ୍ୟୁ ହରାଇଜନ୍‌ ଅଭିଯାନ ଦ୍ୱାରା ଉତ୍ତୋଳନ କରାଯାଇଥିଲା। ଏହା ପୃଥିବୀଠାରୁ ପ୍ରାୟ ୬.୪ ବିଲିୟନ୍‌ କିଲୋମିଟର୍‌ ଦୂରରେ ଅବସ୍ଥିତ। ଅଲ୍‌ଟିମା ଏବଂ ଥୁଲେ ନାମକ ଦୁଇ ଗ୍ରହଖଣ୍ଡ ମିଶି ସୃଷ୍ଟି ହୋଇଥିବା ଏହି ଗ୍ରହଖଣ୍ଡ ୩୬ କିଲୋମିଟର୍‌ ଲମ୍ବ ହୋଇଥିବା ବେଳେ ଏଥିରେ ୮ କିଲୋମିଟର୍‌ ଓସାରର ଏକ ଖାଲ ଥିବା ଜଣାପଡିଛି। ଏହା ପ୍ଲୁଟୋଠାରୁ ମଧ୍ୟ ଅଧିକ ଲାଲ୍‌ ଦେଖାଯାଉଛି। ଏହି ଗ୍ରହଖଣ୍ଡରେ ମିଥାନୋଲ୍‌, ଜଳ, ବରଫ ଏବଂ ଜୈବିକ ତତ୍ୱ ଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ନ୍ୟୁ ହରାଇଜନ୍‌ର ମୁଖ୍ୟ ଅନୁସନ୍ଧାନକାରୀ ଅଲାନ୍‌ ଷ୍ଟର୍ଣ୍ଣ କହିଛନ୍ତି, ଏହି ଆବିଷ୍କାର ସୌର ମଣ୍ଡଳ ଗଠନ ପ୍ରକ୍ରିୟା ବିଷୟରେ ଅଧିକ ଅନୁସନ୍ଧାନ ପାଇଁ ସହାୟକ ହେବ।

ସମ୍ବନ୍ଧିତ ଖବର