ନିଜ ହେଲିକପ୍ଟରକୁ ଖସାଇଥିଲା ବାୟୁସେନା

ଶ୍ରୀନଗର: ବାଲାକୋଟ୍‌ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ବିମାନ ଆକ୍ରମଣ କରିବା ପରେ ଶ୍ରୀନଗର ନିକଟ ବଡ଼ଗାମଠାରେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଧ୍ବଂସ ହୋଇଯାଇଥିଲା। ହେଲିକପ୍ଟରରେ ଥିବା ୬ଜଣ ବାୟୁସେନା କର୍ମଚାରୀ ଏବଂ ତଳେ ଜଣେ ସାଧାରଣ ନାଗରିକଙ୍କୁ ମିଶାଇ ୭ଜଣ ପ୍ରାଣ ହରାଇଥିଳେ। ଏହି ଘଟଣାର ତଦନ୍ତ ବାୟୁସେନା ପକ୍ଷରୁ କରାଯାଇଥିଲା। ତଦନ୍ତ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଏଥିରୁ ପଦାକୁ ଆସିଛି। ଶ୍ରୀନଗରଠାରେ ଅବସ୍ଥାପିତ ବାୟୁସେନାର ନିଜସ୍ବ ପ୍ରତିରକ୍ଷା ବ୍ୟବସ୍ଥା ସ୍ପାଏଡର ଦ୍ବାରା ଏଭଳି ଅଘଟଣ ଘଟିଥିଲା। ତଦନ୍ତ ଶେଷପରେ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ କରାଯିବ । ଏହି ଘଟଣାରେ ଦୁଇ ଜଣ ସେନା ଅଧିକାରୀଙ୍କୁ କୋର୍ଟ ମାର୍ସାଲ କରାଯିବ ବୋଲି ଜଣାଯାଇଛି।

ଅଭିଯୁକ୍ତ ଅଧିକାରୀମାନେ ଅଧିକ ସାକ୍ଷୀଙ୍କୁ ଡାକିବା ଲାଗି ଆବେଦନ କରିଥିବାରୁ ଏହି ତଦନ୍ତ ପୁଣି ଥରେ କରାଯିବାକୁ ସ୍ଥିର ହୋଇଛି। ଅନୁମାନ କରାଯାଉଛି ଯେ, ଶ୍ରୀନଗର ବିମାନ ଘାଟିଠାରେ ବିମାନ ପ୍ରତିରକ୍ଷା ଦାୟିତ୍ବରେ ଥିବା ଅଧିକାରୀମାନେ ଭୁଲ କରିଥିଲେ। ଅପରେସନ ‌ସାରି ଫେରୁଥିବା ଏହି ହେଲିକପ୍ଟରକୁ ସେମାନେ ବିମାନ ଘାଟି ଆଡ଼କୁ ମାଡ଼ି ଆସୁଥିବା ଏକ ମିସାଇଲ ବୋଲି ଭାବି ଏହାକୁ ଖସାଇବାକୁ ପଦକ୍ଷେପ ନେଇଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୨୭ ତାରିଖରେ ଏମଆଇ-୧୭ ଭି-୫ ଚପରଟି ଆକାଶକୁ ଉଡ଼ିବାର ୧୦ ମିନିଟ ମଧ୍ୟରେ ଧ୍ବଂସ ହୋଇଥିଲା। ଯଦିଓ ଭାରତ ସୀମାକୁ ଅନୁ‌ପ୍ରବେଶ କରିଥିବା ପାକିସ୍ତାନର ଯୁଦ୍ଧ ବିମାନକୁ ଭାରତର ଯୁଦ୍ଧବିମାନ ୧୦୦ କିମିରୁ ଅଧିକ ଦୂରରେ ଗୋଡ଼ାଉଥିଲା କିନ୍ତୁ ଶ୍ରୀନଗରଠାରେ ଏଭଳି ଅଘଟଣ ଘଟିଥିଲା।

ସମ୍ବନ୍ଧିତ ଖବର