‘ନ୍ୟାୟ’ ଯୋଜନାକୁ ଅସ୍ତ୍ର କଲେ ରାହୁଲ

ମୋଦୀ ବିମୁଦ୍ରୀକରଣ କରିଥିଲେ, ଆମେ ପୁଣି ମୁଦ୍ରୀକରଣ କରିବୁ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଗରିବ ଶ୍ରେଣୀର ସମର୍ଥନ ହାସଲ କରିବାକୁ ଏବେ ‘ନ୍ୟାୟ’ ଯୋଜନାକୁ ଅସ୍ତ୍ର କରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଏକ ସାକ୍ଷାତକାରରେ କହିଛନ୍ତି ଯେ ‘ନ୍ୟାୟ’ ଯୋଜନା ଗରିବ ଲୋକଙ୍କୁ ସୁନିଶ୍ଚିତ ଆୟ ଯୋଗାଇବ ଏବଂ ଦାରିଦ୍ରୢ ହଟିବ। ମୋଦୀ ସରକାର ଦେଶର ଅର୍ଥନୀତିକୁ ଯେଭଳି ବିମୁଦ୍ରିକରଣ କରିଥିଲେ ତାହାର ପୁନଃମୁଦ୍ରିକରଣ କରିବା ଦିଗରେ କଂଗ୍ରେସ ପଦକ୍ଷେପ ନେବ। ସଙ୍କଟରେ ପଡ଼ିଥିବା ଅର୍ଥନୀତିକୁ ଏହି ଯୋଜନା ସୁଧାରିବାରେ ସକ୍ଷମ ହେବ ବୋଲି ସେ କହିଛନ୍ତି। ପିଟିଆଇ ସହ ଏକ ସାକ୍ଷାତକାରରେ ରାହୁଲ କହିଛନ୍ତି ଯେ କଂଗ୍ରେସ କ୍ଷମତାକୁ ଆସିଲେ ‘ନ୍ୟୁନତମ ଆୟ ଯୋଜନା’ (ନ୍ୟାୟ) ପ୍ରଣୟନ କରିବ ଯାହା ତଳସ୍ତରର ୨୦ ପ୍ରତିଶତ ଗରିବ ଲୋକଙ୍କୁ ବର୍ଷକୁ ୭୨,୦୦୦ ଟଙ୍କା ଆୟ ଦେବା ସୁନିଶ୍ଚିତ କରିବ ଏବଂ ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିବ। ମୋଦୀ ସରକାର ଅତ୍ୟନ୍ତ ଅପ୍ରତ୍ୟାଶିତ ଏବଂ ତରବରିଆ ଭାବେ ବଡ଼ ନୋଟ୍‌ ପ୍ରଚଳନକୁ ୨୦୧୬ ନଭେମ୍ବରରେ ବନ୍ଦ କରିଦେବାରୁ ଏହାଦ୍ବାରା ଦେଶବାସୀ ଘୋର କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଗରିବ, କୃଷକ, ଶ୍ରମିକ ଏବଂ କ୍ଷୁଦ୍ର ବ୍ୟବସାୟୀ ଏଥିରେ ବିଶେଷ ପ୍ରଭାବିତ ହୋଇଛନ୍ତି। ଜିଏସ୍‌ଟି ଭଳି ବ୍ୟବସ୍ତା ମଧ୍ୟ ତରବରିଆ ଭାବେ ମୋଦୀ ସରକାର ‌ଲାଗୁ କରି ସମସ୍ୟା ସୃଷ୍ଟି କରିଛନ୍ତି। ରାହୁଲ କହିଛନ୍ତି ଯେ ବିଶେଷଜ୍ଞଙ୍କ ସହ ପରାମର୍ଶ ନକରି ଆମେ ତରବରରେ କିଛି କରିବୁ ନାହିଁ I

ନ୍ୟାୟ ଯୋଜନା ବିଷୟରେ ଆମେ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞଙ୍କ ମତାମତ ନେଇଛୁ ବୋଲି ରାହୁଲ କହିଛନ୍ତି। ଏହି ଯୋଜନା ଅର୍ଥନୀତିରେ କିଭଳି ପରିବର୍ତନ ଆଣିବ ଏବଂ କିପ୍ରକାର ପ୍ରଭାବ ରହିବ ସେସବୁ ଦିଗକୁ ତର୍ଜମା କରାଯାଇଛି I ‘ନ୍ୟାୟ’ ଯୋଜନା ସମ୍ପୂର୍ଣ ଭାବେ ପ୍ରଣୟନଯୋଗ୍ୟ ଏବଂ ଏହାର କାର୍ଯ୍ୟକାରିତାର ଦିଗକୁ ତର୍ଜମା କରିବାକୁ ପ୍ରଥମେ ‘ପାଇଲଟ ପ୍ରୋଜେକ୍‌ଟ’ ଜରିଆରେ ପରୀକ୍ଷଣ କରାଯିବ ବୋଲି ସୂଚନା ଦେଇଛନ୍ତି ରାହୁଲ I କିଛି ଅର୍ଥନୀତିଜ୍ଞ ଯେଭଳି ୩.୬ ଲକ୍ଷ କୋଟିର ନ୍ୟାୟ ଯୋଜନାକୁ ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପକାଇବ ବୋଲି ଆଶଙ୍କା ପ୍ରକଟ କରିଛନ୍ତି ତାହାକୁ ମଧ୍ୟ ରାହୁଲ ଖଣ୍ଡନ କରିଛନ୍ତି ା ଏହି ଯୋଜନାର ବିଭିନ୍ନ ଆର୍ଥନୀତିକ ସମ୍ଭାବନା ଏବଂ ପ୍ରଭାବ ଉପରେ ସ୍ୱତନ୍ତ୍ର ଭାବେ ତର୍ଜମା କରାଯିବ ପରେ ହିଁ କଂଗ୍ରେସ ଏହି ଯୋଜନାକୁ ନିର୍ବାଚନ ଇସ୍ତାହାରରେ ଅନ୍ତର୍ଭୁକ୍ତ କରିଛି I ନ୍ୟାୟ ଯୋଜନା କାର୍ଯ୍ୟକାରୀ ହୋଇପାରିବ ନାହିଁ ଏବଂ ବାସ୍ତବାତଠାରୁ ଦୂରରେ ବୋଲି ବିରୋଧୀଙ୍କ ସମାଲୋଚନାର ମଧ୍ୟ ଜବାବ ରଖି ରାହୁଲ କହିଛନ୍ତି ‘ମୋଦି ସରକାର କେବଳ ୧୫ ଜଣକୁ ୩.୫ ଲକ୍ଷ କୋଟି ଦେବା ଯଦି ଲୋକଙ୍କ ଦ୍ୱାରା ଆଦୃତ ନହେବା କଥା ଉଠୁନି ତେବେ ଗରିବଙ୍କୁ ଦେଲା ବେଳେ ଏଭଳି ପ୍ରଶ୍ନ କାହିଁକି ଉଠୁଛି I ମୋଦୀଙ୍କ କିଛି ଅନ୍ତରଙ୍ଗ ବନ୍ଧୁ ବା ପୁଞ୍ଜିପତି ହିଁ କେବେଳ ସରକାରୀ ଯୋଜନାର ଫାଇଦା ନେବେ କି ବୋଲି ପ୍ରଶ୍ନ କରିବା ସହ ରାହୁଲ କହିଛନ୍ତି ‘ମୁଁ କେବଳ ଗରିବଙ୍କ ପାଇଁ ନ୍ୟାୟ ଚାହୁଁଛି’ I

ସମ୍ବନ୍ଧିତ ଖବର