ନ‌ଟ୍ରେ ଡାମ୍ କ୍ୟାଥେଡ୍ରାଲରେ ଭୟାବହ ଅଗ୍ନିକାଣ୍ଡ

ପ୍ୟାରିସ: କେନ୍ଦ୍ରୀୟ ପ୍ୟାରିସସ୍ଥିତ ଐତିହାସିକ କ୍ୟାଥେଡ୍ରାଲ (ବଡ଼ ଚର୍ଚ)ରେ ଆଜି ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ପରେ ନିଆଁ ଓ ଧୂଆଁ ପ୍ୟାରିସ ଆକାଶରେ ଛାଇ ହୋ‌ଇଯାଇଛି। ଏହି କ୍ୟାଥେଡ୍ରାଲର ନବୀକରଣ କାର୍ଯ୍ୟ ଚାଲୁଥିଲା। ସେଠାରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ୟୁରୋପର ଏହା ଏକ ପ୍ରସିଦ୍ଧ ଐତିହାସିକ ସ୍ଥଳ। ଏଠାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଆସିଥାନ୍ତି। ଅଗ୍ନିକାଣ୍ଡ ଏତ‌େ ଭୟଙ୍କର ଥିଲା ଯେ କ୍ୟାଥେଡ୍ରାଲର ଉପରିଭାଗ ଗଳି ପଡ଼ିଛି ବୋଲି ପ୍ୟାରିସର ଡେପୁଟି ମେୟର ଇମାନୁଏଲ ଗ୍ରିଗୋରି ଏକ ଟିଭିକୁ କହିବା ସହିତ ଏହା ଏକ ବିରାଟ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି। କ୍ୟାଥେଡ୍ରାଲର ଶୀର୍ଷ ଭାଗର ଭିତରପଟେ ଥିବା କଳାକୃତିକୁ ସୁରକ୍ଷିତ ରଖିବା ଲାଗି ଶ୍ରମିକମାନେ ସଂଘର୍ଷ ଚଳାଇଛନ୍ତି। ଛାତ ତଳେ ରହିଥିବା କାଠରେ ନିଆଁଲାଗି ନଷ୍ଟ ହୋଇଯାଇଥିବା କ୍ୟାଥେଡ୍ରାଲର ଜଣେ ପ୍ରବକ୍ତା କହିଛନ୍ତି। ଅଗ୍ନିକାଣ୍ଡ ଖବର ପାଇ ରାଷ୍ଟ୍ରପତି ଇମାନୁ‌ଏଲ ମ୍ୟାକ୍ରନ ଘଟଣାସ୍ଥଳକୁ ଯାଇଛନ୍ତି। ସଂଧ୍ୟାରେ ସେ ଦେବାକୁ ଥିବା ଟେଲିଭିଜନ ବାର୍ତାକୁ ମଧ୍ୟ ବାତିଲ କରି ଦେଇଛନ୍ତି। ପ୍ୟାରିସର ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ଲାଗି ପ୍ରଚେଷ୍ଟା ଚଳାଇଛି।

ସମ୍ବନ୍ଧିତ ଖବର