ପଦ୍ମାବତୀ ବିବାଦ: ଡିସେମ୍ବର ୧ରେ ଭାରତ ବନ୍ଦ

ନୂଆଦିଲ୍ଲୀ: ‘ପଦ୍ମାବତୀ’ ଫିଲ୍ମକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେଉଥିବାରୁ ଏହାର ନିର୍ମାତା ସଂଜୟ ଲିଲା ବଂଶାଲିଙ୍କ ସଙ୍କଟ ବଢ଼ିବାରେ ଲାଗିଛି। ଏହି ଚଳଚ୍ଚିତ୍ର ମୁଖ୍ୟ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଆଜି ପୁଣି ବେପରୁଆ ମନ୍ତବ୍ୟ ଦେଇ ସମସ୍ୟା ବଢ଼ାଇଛନ୍ତି। ପଦ୍ମାବତୀକୁ ବିରୋଧ ଦେଖି ତାଙ୍କୁ ହସ ମାଡ଼ୁଛି ଏବଂ ବିରୋଧ ଅନାବଶ୍ୟକ ବୋଲି ଦୀପିକା ଗଣମାଧ୍ୟମକୁ ବୟାନ ଦେଇଛନ୍ତି। ପୂର୍ବରୁ ମଧ୍ୟ ଦୀପିକା ବିରୋଧ କରୁଥିବା ବ୍ୟକ୍ତି ଓ ସଂଗଠନକୁ ଚ୍ୟାଲେଂଜ କରି ଚଳଚ୍ଚିତ୍ର ଡିସେମ୍ବର ୧ରେ ହିଁ ରିଲିଜ୍‌ ହେବ ବୋଲି କହିଥିଲେ। ଦୀପିକାଙ୍କ ବୟାନ ନେଇ ରାଜପୁତ କରଣୀ ସେନା ଜୋର୍‌ଦାର ପ୍ରତିବାଦ କରିଛି । ରାଜପୁତ ମହିଳାଙ୍କ ଇତିହାସକୁ ବିକୃତ କରିବାକୁ ଚେଷ୍ଟା କରୁଥିବା କଳାକାରଙ୍କୁ କ୍ଷମା କରାଯିବ ନାହିଁ ବୋଲି କରଣୀ ସେନା ଆଜି ପୁଣି ଚେତାବନୀ ଦେଇଛି। ଏହି ପ୍ରତିବାଦକୁ ଅଧିକ ବ୍ୟାପକ କରିବା ପାଇଁ ଡିସେମ୍ବର ୧ ତାରିଖରେ ଭାରତ ବନ୍ଦ ଆହ୍ଵାନ ଦେଇଛି କରଣୀ ସେନା। ଦେଶର ଜଣେ ମହାନ ରାଣୀଙ୍କ ଜୀବନୀକୁ ବିକୃତ କରି ଦେଖାଇବା ପ୍ରତ୍ୟେକ ମହିଳାଙ୍କ ପ୍ରତି ଅପମାନ ବୋଲି ସେନା କହିଛି। କରଣୀ ସେନାର ଦାବିକୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ସମର୍ଥନ କରିଛନ୍ତି। ଇତିହାସ ସହିତ ଏଭଳି ଖେଳିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ରାଜସ୍ଥାନ ବିଜେପି ମୁଖ୍ୟ ଅଶୋକ ପାରନାମି ଏବଂ କଂଗ୍ରେସ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରିବା ସହ ଇତିହାସର ବିକୃତିକରଣକୁ ଆଦୌ ସହ୍ୟ କରିହେବନି ବୋଲି କହିଛନ୍ତି। ସେହିପରି ରାଜସ୍ଥାନ ରାଜ୍ୟ ମହିଳା କମିସନ ମଧ୍ୟ ସେନ୍‌ସର ବୋର୍ଡଙ୍କୁ ଫିଲ୍ମରେ ଥିବା ଅସ୍ପଷ୍ଟତା ଦୂର କରିବାପାଇଁ ପତ୍ର ଲେଖିଛନ୍ତିି ଏବଂ ଏଥିସହ ଶାନ୍ତି ବଜାୟ ରଖିବାକୁ କହିଛନ୍ତି। ଅନ୍ୟପକ୍ଷରେ କରଣୀ ସେନା ନେତା କଲ୍‌ଭି ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବ୍ୟାପାରରେ ହସ୍ତକ୍ଷେପ କରନ୍ତୁ।

ବଂଶାଲିଙ୍କ ସଙ୍କଟ ବଢ଼ାଇଲେ ସେନ୍‌ସର ବୋର୍ଡ

ନୂଆଦିଲ୍ଲୀ: ‘ପଦ୍ମାବତୀ’କୁ ନେଇ ଫିଲ୍ମ ନିର୍ମାତା ସଞ୍ଜୟ ଲିଲା ବଂଶାଲିଙ୍କ ସଙ୍କଟ ବଢ଼ିବାରେ ଲାଗିଛି। ଫିଲ୍ମକୁ ନେଇ ବିବାଦ ଓ ବିରୋଧ ଥମିବାର ନାଁ ନେଉନଥିବା ବେଳେ ସେନ୍‌୍‌ସର ବୋର୍ଡ ଅଧ୍ୟକ୍ଷ ପ୍ରସୁନ ଯୋଶୀ ବଂଶାଲିଙ୍କ ଆଭିମୁଖ୍ୟକୁ ବିରୋଧ କରିଛନ୍ତି। ଜାଣିଶୁଣି ଚଳଚ୍ଚିତ୍ର ନିର୍ମାଣ ନେଇ ରହିଥିବା କେତେକ ଆଇନଗତ ଦିଗକୁ ଅଣଦେଖା କରାଯାଇଛି ବୋଲି ପ୍ରସୁନ କହିଛନ୍ତି। ଫିଲ୍ମକୁ ନେଇ ବିଭିନ୍ନ ରାଜ୍ୟରେ ବିବାଦ ଉଗ୍ରରୂପ ନେଇଥିବା ବେଳେ ଗତକାଲି ସେନ୍‌ସର ବୋର୍ଡ ଫିଲ୍ମରେ ବୈଷୟିକ ତ୍ରୁଟି ଥିବା ଦର୍ଶାଇ ଫିଲ୍ମଟିକୁ ନିର୍ମାତାଙ୍କୁ ଫେରାଇ ଦେଇଥିଲେ। କିନ୍ତୁ ବଂଶାଲି ଗତକାଲି ଗଣମାଧ୍ୟମ ଏବଂ କିଛି ନିର୍ଦ୍ଦିଷ୍ଟ ସଦସ୍ୟଙ୍କୁ ଫିଲ୍ମଟିକୁ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ପାଇଁ ପରିବେଷଣ କରିବା ପରେ ଏଥିରେ ସେନ୍‌ସର ବୋର୍ଡ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛି। ଫିଲ୍ମକୁ ସେନ୍‌ସର ବୋର୍ଡ ପ୍ରମାଣପତ୍ର ଦେବା ପୂର୍ବରୁ ଏବଂ ସେନ୍‌ସର ବୋର୍ଡ ଦେଖିବା ପୂର୍ବରୁ ଗଣମାଧ୍ୟମ ସହ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଫଲ୍ମଟିକୁୁ ଦେଖାଯିବା ଦ୍ୱାରା ସେନ୍‌ସର ବୋର୍ଡର କାର୍ଯ୍ୟରେ ହସ୍ତକ୍ଷେପ ହୋଇଛି ଏବଂ ଏଭଳି କାର୍ଯ୍ୟ ଆଦୌ ଗ୍ରହଣୀୟ ନୁହେଁ ବୋଲି ଯୋଶୀ କହିଛନ୍ତି।

ବଂଶାଲିଙ୍କୁ ବଲିଉଡ୍‌ରୁ ପୂର୍ଣ୍ଣ ସମର୍ଥନ ମିଳୁଥିବାରୁ ଏଥିରେ ସେ ଉତ୍ସାହିତ ହୋଇ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଫିଲ୍ମ ଦେଖାଇଥିବା କୁହାଯାଉଛି। ଆଜି ବରିଷ୍ଠ ଅଭିନେତ୍ରୀ ଶବାନା ଆଜ୍‌ମି ସେନ୍‌ସର ବୋର୍ଡ ଫିଲ୍ମ ଫେରାଇଦେବା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ସେନ୍‌ସର ବୋର୍ଡ କ’ଣ ପ୍ରକୃତରେ ବୈଷୟିକ ତ୍ରୁଟି ପାଇଁ ଫିଲ୍ମଟିକୁ ଫେରାଇ ଦେଇଛନ୍ତି ନା’ ରାଜନୈତିକ ଫାଇଦା ଦେବାପାଇଁ ନିଅାଁରେ ଘିଅ ଢାଳୁଛନ୍ତି। ଅନ୍ୟପକ୍ଷରେ ଫିଲ୍ମର ରିଲିଜ୍‌ ବନ୍ଦ କରିବା ଦାବିରେ ଆନ୍ଦୋଳନ ଜୋରଦାର ହୋଇଛି। ଗତକାଲି ଫିଲ୍ମକୁ ସଂପୂର୍ଣ୍ଣ ନଷିଦ୍ଧ କରିବା ଦାବିରେ ପର୍ଯ୍ୟଟକଙ୍କ ଲାଗି ଚିତ୍ତୋରଗଡ଼ ଦୁର୍ଗ ବନ୍ଦ ରହିଥିବାବେଳେ ଆଜି ରାଜସ୍ଥାନର କୁମ୍ଭଲଗଡ଼ ଦୁର୍ଗର ପ୍ରବେଶ ପଥ ବନ୍ଦ କରିଦିଆଯାଇଛି। ଫିଲ୍ମରେ ରାଣୀ ପଦ୍ମାବତୀ ଏବଂ ଆଲ୍ଲାଉଦିନ୍‌ ଖିଲିଜ୍‌ଙ୍କ ମଧ୍ୟରେ ରହିଥିବା ରୋମାଣ୍ଟିକ୍‌ ଦୃଶ୍ୟକୁ ନେଇ ବିବାଦ ଘନେଇଛି।

କରଣୀ ସେନାର କାୟା ବିସ୍ତାର

ଜୟପୁର : ଫିଲ୍ମ ‘ପଦ୍ମାବତୀ’କୁ ନେଇ ସୃଷ୍ଟି ହୋଇଥିବା ତମ୍ବିତୋଫାନ ସହ ଦେଶବ୍ୟାପୀ ଏବେ ଚର୍ଚ୍ଚାରେ ରହିଛି ‘ଶ୍ରୀ ରାଜପୁତ କରଣୀ ସେନା’ (ଏସ୍‌ଆର୍‌କେଏସ୍‌)। ପଦ୍ମାବତୀ ଚଳଚ୍ଚିତ୍ରକୁ ନେଇ ଚାଲିଥିବା ବିରୋଧକୁ କେବଳ ଉଗ୍ର ରୂପ ଦେବରେ ସଫଳ ହୋଇନାହିଁ କରଣୀ ସେନା, ଏହା ନିଜର ଉପସ୍ଥିତିକୁ ମଧ୍ୟ ଦେଶବ୍ୟାପୀ ଜାହିର କରିବା ପାଇଁ ଏକ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ କରିଛି।

କରଣୀ ସେନାର ଗଠନ ଓ ଉଦ୍ଦେଶ୍ୟ: ରାଜସ୍ଥାନର ରାଜପୁତ ସଦସ୍ୟଙ୍କୁ ନେଇ ଗଠିତ ହୋଇଥିବା କରଣୀ ସେନା ହେଉଛି ଏକ ଅଣରାଜନୈତିକ ସାମାଜିକ ସଂଗଠନ। ୨୦୦୬ରେ ପ୍ରଥମେ ଏହି ସଂଗଠନ ମାତ୍ର ୮/୧୦ ହଜାର ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇଥିବା ବେଳେ ଏବେ ଏହାର ସଦସ୍ୟ ସଂଖ୍ୟା ହେଉଛି ୯ ଲକ୍ଷ ୬୩ ହଜାର। ଅଧିକାଂଶ ସଦସ୍ୟଙ୍କ ବୟସ ୪୦ରୁ କମ୍‌। ରାଜସ୍ଥାନରେ ନିଜର ପ୍ରାଧାନ୍ୟ ବଢ଼ାଇବାରେ କରଣୀ ସେନା ସଫଳ ହୋଇଥିବା ବେଳେ ଏବେ ‘ପଦ୍ମାବତୀ’କୁ ବିରୋଧ କରିବା ପ୍ରକ୍ରିୟାରେ ଏହି ସଂଗଠନ ନିଜର ଶକ୍ତି ପ୍ରଦର୍ଶନ କରିଚାଲିଛି।
ପ୍ରଭାବ ଓ କାୟା ବିସ୍ତାର: ଏସ୍‌ଆରକେଏସ୍‌ର କାୟ ବିସ୍ତାର ଏବେ ୧୨ଟି ରାଜ୍ୟରେ ହୋଇଛି। ରାଜସ୍ଥାନ, ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା, ତାମିଲନାଡ଼ୁ ଏବଂ ଜମ୍ମୁ କଶ୍ମୀରରେ କରଣୀ ସେନା ନିଜର ସ୍ଥିତି ସୁଦୃଢ଼ କରିବା ସହ ରାଜ୍ୟ କାର୍ଯ୍ୟାଳୟ ଖୋଲି ଯୋଜନାବଦ୍ଧ ଭାବେ ଆଗକୁ ବଢ଼ୁଛି। କରଣୀ ସେନାର ରାଜ୍ୟ ସଭାପତିମାନେ ବିଭିନ୍ନ ସାମାଜିକ ପ୍ରସଙ୍ଗରେ ଆନ୍ଦୋଳନର ନେତୃତ୍ୱ ନେଇ ଚର୍ଚ୍ଚାକୁ ଆସୁଛନ୍ତି। ରାଜସ୍ଥାନର ପ୍ରସିଦ୍ଧ କରଣୀ ମାତାଙ୍କ ନାମରେ ଏହି ସଂଗଠନକୁ ନାମିତ କରାଯାଇଛି ଏବଂ ଏହି ସଂଗଠନର ମୁଖ୍ୟ ହେଉଛନ୍ତି ଲୋକେନ୍ଦ୍ର ସିଂହ କଲ୍‌ଭି। ଏହି ସଂଗଠନର ଅଧିକାଂଶ ସଦସ୍ୟ ହେଉଛନ୍ତି ବେକାର ଯୁବକ ।

ସଂରକ୍ଷଣ ଆନ୍ଦୋଳନ ମୁଖ୍ୟ ଏଜେଣ୍ଡା: ଏସ୍‌ଆର୍‌କେଏସ୍‌ର ମୁଖ୍ୟ ଏଜେଣ୍ଡାରେ ରହିଛି ଆନ୍ଦୋଳନ ଦ୍ୱାରା ରାଜପୁତମାନଙ୍କ ନ୍ୟାଯ୍ୟ ସଂରକ୍ଷଣ ଦାବି ହାସଲ କରିବା। ରାଜପୁତଙ୍କ ପ୍ରତି ପାତରଅନ୍ତର ଏବଂ ସେମାନଙ୍କୁ ସଂରକ୍ଷଣ ସୁବିଧାରୁ ବଞ୍ଚିତ କରାଯାଉଥିବାରୁ ଏହା ବିରୋଧରେ ଲଢ଼େଇ ପାଇଁ ଏହି ସେନା ଗଠନ ହୋଇଥିଲା। ଏସ୍‌ଆର୍‌କେଏସ୍‌ର ଏବେ ୧୧ ସୂତ୍ରୀ କାର୍ଯ୍ୟକ୍ରମ ରହିଛି। ସେଥିରୁ ମୁଖ୍ୟ ହେଲା ଶିକ୍ଷା ଏବଂ ଚାକିରୀ କ୍ଷେତ୍ରରେ ରାଜପୁତଙ୍କ ସଂରକ୍ଷଣ ପାଇଁ ଯୋଜନାବଦ୍ଧ ସଂଗ୍ରାମ। ତେବେ ପଦ୍ମାବତୀକୁ ନେଇ ବିବାଦ ଆରମ୍ଭ ହେବାପରେ କରଣୀ ସେନା ଏହି ପ୍ରସଙ୍ଗକୁ ଏବେ ନିଜର ସ୍ୱାଭିମାନ ସହ ଯୋଡ଼ିଛି ଏବଂ ସମସ୍ତ ରାଜପୁତଙ୍କୁ ଏକଜୁଟ କରିବାକୁ ପ୍ରୟାସ ଜାରି ରଖିଛି। ଏହି ଆନ୍ଦୋଳନ କରଣୀ ସେନାକୁ ଏକ ସର୍ବଭାରତୀୟ ସଂଗଠନରେ ପରିଣତ କରିବା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିପୁଳ ସମର୍ଥନ ଯୋଗଇ ଦେଇଛି । ୨୦୦୮ରେ ‘ଯୋଧା ଆକବର’ ଫିଲ୍ମକୁ ମଧ୍ୟ ବିରୋଧ କରି ଏସ୍‌ଆର୍‌କେଏସ୍‌ ଚର୍ଚ୍ଚାକୁ ଆସିଥିଲା।

ସମ୍ବନ୍ଧିତ ଖବର