ପ୍ରଧାନମନ୍ତ୍ରୀ ମୋଦିଙ୍କ ବାୟୋପିକ୍‌ ରିଲିଜ୍‌: ରହିତାଦେଶ ଜାରି ପାଇଁ ମନା କରି ଆଗତ ମାମଲାର ଶୁଣାଣି ୯ରେ କରିବେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ନିର୍ବାଚନ ପୂର୍ବରୁ ରିଲିଜ୍‌ ହେବ ନା ନାହିଁ ସେ ସଂପର୍କରେ ଆଗତ ମାମଲାର ଶୁଣାଣି ଆସନ୍ତାକାଲି (ମଙ୍ଗଳବାର) ସୁପ୍ରିମ୍‌ କୋର୍ଟ କରିବେ। ତେବେ, ମାମଲାର ଶୁଣାଣି ପୂର୍ବରୁ ଏହି ବାୟୋପିକ୍‌ର ରିଲିଜ୍‌ ଉପରେ ରହିତାଦେଶ ଜାରି କରିବା ପାଇଁ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଆଜି ମନା କରି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ନିର୍ବାଚନ ପୂର୍ବରୁ ରିଲିଜ୍‌ ଉପରେ ରହିତାଦେଶ ଜାରି କରିବା ପାଇଁ ଆଗତ ମାମଲାର ଶୁଣାଣି କରି ସୁପ୍ରିମ୍‌ କୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏହି ଚଳଚ୍ଚିତ୍ରକୁ ସେନ୍‌ସର ବୋର୍ଡର ସାର୍ଟିଫିକେଟ ମିଳି ନଥିବା ବେଳେ ଏହି ଚଳଚ୍ଚିତ୍ରର ରିଲିଜ୍‌ ଉପରେ ରହିତାଦେଶ ଜାରି କରିବାର କୌଣସି ଆବଶ୍ୟକତା ନାହିଁ।

ତେବେ, ଏହି ମାମଲାର ଆଗତକାରୀ କଂଗ୍ରେସ ଦଳ ମୁଖପାତ୍ର ଅମନ ପନଓ୍ଵରଙ୍କ ତରଫରୁ ସୁପ୍ରିମ୍‌ କୋର୍ଟର ବରିଷ୍ଠ ଆଇନ୍‌ଜୀବୀ ଅଭିଷେକ ମନୁ ସିଂହଭୀ ଅଦାଲତଙ୍କୁ କହିଥିଲେ ଯେ ଏହି ଚଳଚ୍ଚିତ୍ରରେ ଅନେକ ବିବାଦୀୟ ଓ ଆପତ୍ତିଜନକ ବିଷୟ ରହିଛି ବୋଲି କହିବା ସହ ଏହି ଚଳଚ୍ଚିତ୍ରର ଏକ କପି ମାଗିଥିଲେ। ହେଲେ, ଅଦାଲତ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ଏହି ଚଳଚ୍ଚିତ୍ରକୁ ସେନସର ବୋର୍ଡ ସାର୍ଟିଫିକେଟ ପ୍ରଦାନ କରି ନଥିବା ବେଳେ ଏହି ଚଳଚ୍ଚିତ୍ରରେ ଅନେକ ବିବାଦୀୟ ଓ ଆପତ୍ତିଜନକ ବିଷୟ ରହିଛି ବୋଲି ତୁମେ ଜାଣିଲ କିପରି? ଯଦି ଜାଣିଛ, ତେବେ ଆମକୁ କାହିଁକି ଚଳଚିତ୍ରର ନକଲ କାହିଁକି ମାଗୁଛ? ତୁମକୁ, ଚଳଚ୍ଚିତ୍ରର ନକଲ ପ୍ରଦାନ କରିବାର କ’ଣ ଆବଶ୍ୟକତା ଓ ଯଥାର୍ଥତା ରହିଛି? ଯଦି ଏହି ଚଳଚ୍ଚିତ୍ରରେ କିଛି ବିବାଦୀୟ ଓ ଆପତ୍ତିଜନକ ବିଷୟ ରହିଛି ବୋଲି ତୁମ ପାଖରେ ତଥ୍ୟ ପ୍ରମାଣ ଅଛି ସେସବୁ ଆଣି କୋର୍ଟରେ ଦାଖଲ କର ମଙ୍ଗଳବାର ଦିନ ଶୁଣାଣି କାଳରେ ଆମେ ବିଚାରକୁ ନେବୁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ସୁପ୍ରିମ୍‌ କୋର୍ଟ।

ସମ୍ବନ୍ଧିତ ଖବର