ପ୍ରେମିକାଙ୍କୁ ବିଭା ହୋଇ ନ ପାରି ବିଏସ୍‌ଏଫ୍‌ ଯବାନଙ୍କ ଗୁଳି ଚୋଟରେ ମରିବାକୁ ଭାରତ ସୀମାନ୍ତକୁ ପଶି ଆସିଲେ ପାକିସ୍ତାନୀ ଯୁବକ

ଫିରୋଜପୁର: ପ୍ରେମିକାକୁ ବିବାହ କରିବାକୁ ଅସମର୍ଥ ହୋଇ ଜଣେ ହତାଶ ପାକିସ୍ତାନୀ ନାଗରିକ ବିଏସ୍‌ଏଫ୍‌ ଯବାନଙ୍କ ଗୁଳି ଚୋଟରେ ମରିବା ଆଶାରେ ଆନ୍ତର୍ଜାତିକ ସୀମାରେଖା ଟପି ଭାରତ ପଟକୁ ଚାଲି ଆସିବାକୁ ସ୍ଥିର କରିଥିଲେ, କିନ୍ତୁ ତାଙ୍କୁ ଗିରଫ କରାଯାଇ ଜେଲ୍‌ରେ ରଖା ଯାଇଛି।

ମିଳିଥିବା ଖବର ଅନୁସାରେ, ସୋମବାର ଦିନ ମାବୋକ୍‌ ବର୍ଡର୍‌ ପୋଷ୍ଟ୍‍ ନିକଟରେ ୩୨ ବର୍ଷିୟ ମହମ୍ମଦ ଅସିଫ୍‌ ବର୍ଡର୍‌ ସିକ୍ୟୁରିଟି ଫୋର୍ସର ୧୧୮ ବାଟାଲିୟନ୍‌ ହାତରେ ଧରାପଡ଼ିଥିଲା।

ପରେ ଅସିଫ୍‌ଙ୍କୁ ବିଏସ୍‌ଏଫ୍‌ ଅଧିକାରୀମାନେ ମାମ୍‌ଦୋତ୍‌ ପୁଲିସକୁ ହସ୍ତାନ୍ତର କରିଥିଲେ।

ପଚରା ଉଚୁରା କରିବା ପରେ, ଅସିଫ୍‌ ଅଧିକାରୀମାନଙ୍କୁ କହିଲେ କି, ବିଏସ୍‌ଏଫ୍‌ ଯବାନଙ୍କ ଗୁଳି ତାଙ୍କ ହୃଦୟକୁ ବିଦ୍ଧ କରିବ ଏବଂ ସେ ଦୁର୍ଦ୍ଦଶା ଭୋଗରୁ ମୁକ୍ତି ପାଇବେ- ଏଇ ଆଶାରେ ସେ ଭାରତୀୟ ସୀମାନ୍ତ ଆଡ଼କୁ ଚାଲି ଆସିଥିଲେ।

ପ୍ରଥମେ ସେ ଦଉଡ଼ି ଦେଇ ମରିବେ ବୋଲି ସ୍ଥିର କରିଥିଲେ, କିନ୍ତୁ ପବିତ୍ର ରମଜାନ ମାସରେ ଏପରି କରିବା ଅନୁଚିତ ବିଚାରି ସେ ଯୋଜନ ପରିବର୍ତ୍ତନ କରିଥିଲେ।

ପାକିସ୍ତାନର କସୁର ଜିଲ୍ଲା ଅନ୍ତର୍ଗତ ଜଲ୍ଲୋକ୍‌ ଗ୍ରାମ ନିବାସୀ ଅସିଫ୍‌ ବଡ଼ ଭାଇ ଅତିକ୍‌-ଉର୍‌- ରେହମନ୍‌ଙ୍କ ଶାଳୀଙ୍କ ପ୍ରେମରେ ବାତୁଳ ପ୍ରାୟ ଉବୁଟୁବୁ ହେଉଥିଲେ।

କିନ୍ତୁ, ଭାଇଙ୍କ ଶଶୁରଘର ଏ ବିବାହ ପ୍ରସ୍ତାବରେ ଦୁଇ ଦୁଇ ଥର ଅରାଜି ହେବାରୁ ଅସିଫ୍‌ ଜୀବନ ହାରି ଦେବାକୁ ନିଷ୍ପତ୍ତି ନେଇଥିଲେ।

ଉଭୟ ଅସିଫ୍‌ ଏବଂ ଭାଇଙ୍କ ଶଶୁରଘର ଲୋକେ ସେମାନଙ୍କର ସମ୍ପର୍କକୁ ତୀବ୍ର ବିରୋଧ କରିବାରୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ।
ଅସିଫ୍‌ କହନ୍ତି: ସେ ଓ ତାଙ୍କ ପ୍ରେମିକା ପରସ୍ପରଙ୍କୁ ବାହା ହେବାକୁ ରାଜି କିନ୍ତୁ, ପ୍ରେମିକାଙ୍କୁ ଜବରଦସ୍ତି ଅନ୍ୟତ୍ର ବାହା କରାଇ ଦିଆଯାଇଥିଲା।
ବିବାହର କିଛି ଦିନ ପରେ ପ୍ରେମିକା ଛାଡ଼ପତ୍ର ପାଇଥିଲେ। ତାଙ୍କୁ ବିଭା ହେବାକୁ ଅସିଫ୍‌ ପୁଣି ଥରେ ତାଙ୍କ ପରିବାରକୁ ନେହୁରା ହେଲା, କିନ୍ତୁ ସେମାନେ ଏଥର ମଧ୍ୟ ରାଜି ହେଲେ ନାହିଁ।

ଅସିଫ୍‌ ଚଳିବା ଘରର ପିଲା। ତାଙ୍କର ୨୫ ଏକର ଜମି ଅଛି। ସେ ଇଣ୍ଟର୍‌-ମିଡିଏଟ୍‌ ପାସ୍‌ କରିଛନ୍ତି।

ଅସିଫ୍‌ଙ୍କୁ ଇଣ୍ଡିଆନ୍‌ ପାସ୍‌ପୋର୍ଟ ଆକ୍ଟ୍‌ ଆଣ୍ଡ୍‌ ଫରେନରର୍ସ ଆକ୍ଟ୍‌ ବଳରେ ଗିରଫ କରାଯାଇଛି ବୋଲି ମାମ୍‌ଦୋତ୍‌ ଥାନାର ଷ୍ଟେସନ୍‌ ହାଉସ୍‌ ଅଫିସର୍‌ ରସଫାଲ୍‌ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର