ଫେରିବାର ସବୁ ଆଶା ଛାଡ଼ି ଦେଇଥିଲୁ

ଅମୃତସର: ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଥିଲା। ଭାରତକୁ ଫେରିବାର ସବୁ ଆଶା ହରାଇଥିଲୁ। ଏମିତିକି ପାକିସ୍ତାନ ଆମକୁ ମୁକ୍ତ କରିବା ପରେ ମଧ୍ୟ ଏହାକୁ ଆମେ ଗୁରୁତର ସହ ନେଇନଥିଲୁ। ଏଭଳି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନରୁ ଭାରତ ଫେରିଥିବା ମତ୍ସ୍ୟଜୀବୀ। ଗୁଜରାଟର ରୋହିତ କହିଛନ୍ତି, ପାକିସ୍ତାନ ସମୁଦ୍ରରେ ଅନୁପ୍ରବେଶ କରିବା ଅଭିଯୋଗରେ ୪୩ ଜଣ ମତ୍ସ୍ୟଜୀବୀଙ୍କୁ ୨୦୧୭ ଡିସେମ୍ବରରେ ଗିରଫ କରିଥିଲେ ପାକିସ୍ତାନ ତଟରକ୍ଷୀ ବାହିନୀ। କରାଚୀ ଜେଲ୍‌ରେ ସେମାନଙ୍କୁ ରଖାଯାଇଥିଲା ଯେଉଁଠାରେ ୫୦୦ ଭାରତୀୟ ବନ୍ଦୀ ରହୁଛନ୍ତି। ଫେବୃଆରୀରେ ପୁଲୱାମା ଆକ୍ରମଣ ପରେ ଜେଲ୍‌ର ଜଣେ ଅଧିକାରୀ କହିଥିଲେ, ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହା ଶୁଣି ଆମେ ଭାରତ ଫେରିବାର ସବୁ ଆଶା ହରାଇସାରିଥିଲୁ ବୋଲି ୨୦ ବର୍ଷୀୟ ମୁକେଶ କହିଛନ୍ତି। ଆରବ ସାଗରରେ ସ୍ପଷ୍ଟ ଭାବେ ସୀମା ଚିହ୍ନଟ କରାଯାଇନାହିଁ। ତେଣୁ ମତ୍ସ୍ୟଜୀବୀମାନେ ଜିପିଆର୍‌ଏସ୍‌ ଉପରେ ସବୁବେଳେ ନିର୍ଭର କରୁଛନ୍ତି। ବେଳେବେଳ ଜିପିଆର୍‌ଏସ୍‌ କାମ କରୁନାହିଁ। ସେଥିଯୋଗୁଁ ମତ୍ସ୍ୟଜୀବୀ ବୋଟ୍‌ଗୁଡିକ ଭୁଲରେ ପାକିସ୍ତାନ ସୀମାରେ ପ୍ରବେଶ କରିଯାଉଛନ୍ତି। ଏଣୁ ଦୁଇ ଦେଶର ମଧ୍ୟରେ ଚୁକ୍ତି କରାଯାଇ ଭୁଲବସତଃ ଅନୁପ୍ରବେଶ କରିଯାଇଥିବା ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି ଧନୁ। ସୂଚନାଯୋଗ୍ୟ, ପାକିସ୍ତାନ ସମୁଦ୍ରରେ ଅନୁପ୍ରବେଶ କରିବା ଅଭିଯୋଗରେ ଅଟକଥିବା ୧୦୦ ଜଣ ମତ୍ସ୍ୟଜୀବୀଙ୍କୁ ସୋମବାର ପାକିସ୍ତାନ ଅଟ୍ଟାରି-ୱାଘା ସୀମାରେ ଭାରତକୁ ହସ୍ତାନ୍ତର କରିଛି। ମୋଟ ୩୬୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ୪ଟି ପର୍ଯ୍ୟାୟରେ ମୁକ୍ତ କରିବାକୁ ଘୋଷଣା କରିଛି ପାକିସ୍ତାନ।

ସମ୍ବନ୍ଧିତ ଖବର