“ବନ୍ଦବେଳେ ଛୋଟ ବଡ଼ ଘଟଣା ଘଟେ, ଲୋକ ବି ମରନ୍ତି”

ପାଟନା: ଭାରତ ଦିନକୁ ଦିନ ‘ବନ୍ଦ’ରାକ୍ଷସ ଦ୍ୱାରା କବଳିତ ହେଉଛି । ପ୍ରାୟ ସବୁଦିନ କୌଣସି ନା କୌଣସି ରାଜନୈତିକ ବା ସାମାଜିକ ଦଳ ବନ୍ଦ ଡାକରା ଦେଉଛି ଓ ଏହାର କବଳିତ ହେଉଛନ୍ତି ସାଧାରଣ ଜନତା । ତଥାକଥିତ ଆନ୍ଦୋଳନକାରୀମାନେ ସର୍ବସାଧାରଣ ସମ୍ପତ୍ତିକୁ ନଷ୍ଟ କରିବା ସହ ଅତ୍ୟାବଶ୍ୟକ ସେବାଗୁଡିକୁ ମଧ୍ୟ ଅଟକାଇ ଦେଉଛନ୍ତି । ଏହା ଦ୍ୱାରା ଅନେକ ସମୟରେ ଦୁଃଖଦ ଘଟଣାମାନ ଘଟୁଛି । କେତେବେଳେ ଗରିବ ଲୋକଟିଏର ଦୋକାନକୁ ଭାଙ୍ଗିରୁଜି ଦେଲେଣି ତ ଆଉ କେତେବେଳେ ଡାକ୍ତରଖାନା ଯାଉଥିବା ଗୁରୁତର ଅସୁସ୍ଥ ରୋଗୀକୁ ଛାଡ଼ୁ ନାହାନ୍ତି ।

କିନ୍ତୁ ବିହାର ପରି ରାଜ୍ୟରେ ଯଦି ବନ୍ଦ ଡକରା ଦିଆଗଲା ତ କଥା ସରିଲା । ବିହାରରେ ବନ୍ଦ ଡାକରା ଦିଆଗଲେ କିଛି ଘଣ୍ଟା ପାଇଁ ସଡ଼କରେ ଜଙ୍ଗଲରାଜ ଚାଲେ । ଏପରି କିଛି ଦେଖିବାକୁ ମିଳିଥିଲା ନିକଟରେ ଲାଲୁ ପ୍ରସାଦ ଯାଦବଙ୍କ ଦଳ ଆରଜେଡି ଦ୍ୱାରା ଡକରା ଦିଆଯାଇଥିବା ବନ୍ଦ ସମୟରେ । ନିତିଶ କୁମାର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଏକ ନୂଆ ବାଲି ଖନନ ନୀତିକୁ ବିରୋଧ କରି ଏହି ବନ୍ଦ ଡକରା ଦିଆଯାଇଥିଲା । ବନ୍ଦ ସମୟରେ ଆନ୍ଦୋଳନକାରୀ ମାନେ ଆମ୍ବୁଲାନ୍ସ ଗୁଡ଼ିକୁ ମଧ୍ୟ ବାଟ ଛାଡିନଥିଲେ । ଏହା ଫଳରେ ପୃଥକ୍‌ ପୃଥକ୍‌ ଘଟଣାରେ ଦୁଇଜଣ ରୋଗୀ ରାସ୍ତାରେ ହିଁ ମୃତ୍ୟୁବରଣ କରିଥିଲେ ।

ବିହାରର କତିହାରରେ ଘଟିଥିବା ପ୍ରଥମ ଘଟଣାରେ ସନ୍ତୋଷ ଝା ନାମକ ଜଣେ ଗୁରୁତର ଅସୁସ୍ଥ ଲୋକଙ୍କୁ ତାଙ୍କ ପରିବାର ଲୋକ ଡାକ୍ତରଖାନା ନେଇଯାଉଥିବାବେଳେ ଆନ୍ଦୋଳନକାରୀଙ୍କ ଭିଡ଼ରେ ଫସିଗଲେ । ଯେତେ ନେହୁରା ହେଲେ ମଧ୍ୟ ଆନ୍ଦୋଳନକାରୀମାନ ଆମ୍ବୁଲାନ୍ସକୁ ବାଟ ନ ଛାଡିବାରୁ ରାସ୍ତାରେ ହିଁ ତାଙ୍କର ମୃତ୍ୟ ୁ ହୋଇଗଲା । ଦ୍ୱିତୀୟ ଘଟଣାଟି ଘଟିଛି ବିହାରର ହାଜିପୁର ଅଂଚଳରେ । ସୋମାରୀ ଦେବୀ ନାମକ ମହିଳା ଗୁରୁତର ଅସୁସ୍ଥ ହୋଇ ପାଟନାର ଏକ ଡାକ୍ତରଖାନା ଯାଉଥିବାବେଳେ ବିକ୍ଷୋଭକାରୀ ଙ୍କ ଭୀଡ଼ରେ ଫସିଗଲେ । ତାଙ୍କ ଗାଡ଼ିକୁ ଆନ୍ଦୋଳନକାରୀମାନେ ବାଟ ନ ଛାଡ଼ବାରୁ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଗଲା ।

ଉଭୟ ମାମଲରେ ମୃତକଙ୍କ ପରିବାର ଲୋକେ ଆରଜେଡ଼ି ନେତା ଲାଲୁଙ୍କୁ ଦାୟୀ କରିଛନ୍ତି । କିନ୍ତୁ ଆଉ ଏକ ଦୁର୍ଭାଗ୍ୟର କଥା ହେଉଛି ଆରଜେଡ଼ି ଦଳର ନେତା ରଘୁବଂଶ ପ୍ରସାଦଙ୍କ ମନ୍ତବ୍ୟ-ସେ କହିଛନ୍ତି ଯେ “ବନ୍ଦ ବେଳେ ଏପରି ଛୋଟ ବଡ଼ ଘଟଣାମାନ ଘଟେ …ବେଳେବେଳେ ଲୋକ ବି ମରନ୍ତି ।”

ସମ୍ବନ୍ଧିତ ଖବର