ବାଦ ବିବାଦ ଭିତରେ ସାବରିମାଳା ମନ୍ଦିରରେ ଚାଲିଛି ଦର୍ଶନ, ପ୍ରବେଶ କରିପାରୁନାହାନ୍ତି ମହିଳା

ତିରୁଅନନ୍ତପୁରମ୍: ବାଦ ବିବାଦ ଭିତରେ ସାବରିମାଳା ମନ୍ଦିରରେ ଚାଲିଛି ଦର୍ଶନ । ପ୍ରବେଶ କରିପାରୁନାହାନ୍ତି ମହିଳା । କଡା ସୁରକ୍ଷା ମଧ୍ୟରେ ଯାଉଛନ୍ତି ଭକ୍ତ । କେରଳର ବିଭିନ୍ନ ସହରରେ ୧୪୪ ଧାରା ଜାର କରାଯାଇଛି । ସାବରିମାଳା ମନ୍ଦିରକୁ ନେଇ ଗତକାଲି ଦିନ ତମାମ ଲାଗି ରହିଲା ହାଇ ଡ୍ରାମା । ଜୋରଦାର ଆନ୍ଦୋଳନ ପରେ କେରଳର ସାବରିମାଳା ମନ୍ଦିର ଗତକାଲି ସନ୍ଧ୍ୟା ୫ଟାରେ ଖୋଲିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ମାସିକ ପୂଜାକର୍ମ ପାଇଁ ମନ୍ଦିର ଖୋଲିଥିବାବେଳେ ମହିଳାମାନଙ୍କୁ କିନ୍ତୁ ପ୍ରବେଶ କରାଇ ଦିଆଯାଇ ନାହିଁ । ତୀବ୍ର ବିରୋଧ ଓ ପ୍ରତିବାଦ ଯୋଗୁଁ ମହିଳାମାନେ ମନ୍ଦିର ଦ୍ୱାରରୁ ନିରାଶ ହୋଇ ଫେରିଥିଲେ ।

ମନ୍ଦିରରେ ସବୁ ବୟସର ମହିଳା ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟ ଦେଇଥିବା ଐତିହାସିକ ରାୟ ପରେ ଗତକାଲି ପ୍ରଥମ ଥର ପାଇଁ ମନ୍ଦିର ଖୋଲି ଥିଲା । ଫଳରେ ମନ୍ଦିରରେ ପ୍ରବେଶ ଲାଗି ବିଭିନ୍ନ ସ୍ଥାନରୁ ମହିଳାମାନେ ଆଗ୍ରହର ସହ ଆସି ପହଁଚିଥିଲେ । କିନ୍ତୁ ସେମାନଙ୍କୁ କିଛି ଗୋଷ୍ଠୀର ମହିଳା ଓ ସଂଗଠନ ପ୍ରବେଶ ଅନୁମତି ଦେଇନଥିଲେ । ବାଟରେ ଗାଡି ଅଟକାଇ ସେମାନଙ୍କୁ ଅଧା ବାଟରୁ ଫେରାଇ ଦେଇଥିଲେ । ବିଶୃଙ୍ଖଳା ଜନତାଙ୍କୁ ଘଉଡାଇବା ପାଇଁ ପୁଲିସ ଲାଠିଚାର୍ଜ କରିଥିଲା । ତେବେ ଆନ୍ଦୋଳନକାରୀମାନେ ଗଣଆତ୍ମହତ୍ୟା ଧମକ ଦେଇଥିବାରୁ ପରିସ୍ଥିତି ଜଟିଳ ହୋଇଥିଲା । କେତେକ ସ୍ଥାନରେ ଉତେଜନା ଲାଗି ରହିଛି ।

ସମ୍ବନ୍ଧିତ ଖବର