ମହାରାଷ୍ଟ୍ର: ଗଡ଼ଚିରୋଲିରେ ନଦୀରେ ଭାସୁଥିବା ୧୧ ନକ୍ସଲଙ୍କ ଶବ ଉଦ୍ଧାର, ସଂଖ୍ୟା ପହଞ୍ଚିଲା ୩୭

ଗଡ଼ଚିରୋଲି/ମୁମ୍ବାଇ: ପୂର୍ବ ମହାରାଷ୍ଟ୍ରର ଗଡ଼ଚିରୋଲିରେ ମଙ୍ଗଳବାର ସକାଳୁ ୧୧ ଜଣ ନକ୍ସଲଙ୍କ ଶବ ଇନ୍ଦ୍ରାବତୀ ନଦୀରୁ ଉଦ୍ଧାର କରାଯାଇଛି। ଏଥି ସହିତ ବିଗତ ୨ ଦିନ ମଧ୍ୟରେ ନକ୍ସଲଙ୍କୁ ନିହତ କରାଯାଇଥିବା ସଂଖ୍ୟା ୩୭ରେ ପହଞ୍ଚିଛି। ସୁରକ୍ଷା କର୍ମଚାରୀମାନେ ସୋମବାର ସନ୍ଧ୍ୟାରେ ଅହେରୀ ତହସିଲ ଅଧୀନ ଜିମଲଗଟ୍ଟା-ରାମାରାମ ଖାନ୍ଦଲା ଜଙ୍ଗଲରେ ଏନ୍‌କାଉଣ୍ଟରରେ ୬ ଜଣ ନକ୍ସଲଙ୍କୁ ନିହତ କରିଥିଲେ। ନିହତ ହୋଇଥିବା ନକ୍ସଲଙ୍କ ମଧ୍ୟରେ ଅହେରୀ ଅଞ୍ଚଳର କମିଟିର ସଚିବ ନନ୍ଦୁର ମଧ୍ୟ ମୃତ୍ୟୁ ହୋଇଛି। ପୁଲିସ ଏହି ସମସ୍ତ ନକ୍ସଲଙ୍କ ଶବ ଜବତ କରିଛି। ସୁରକ୍ଷାକର୍ମୀମାନେ ରବିବାର ଏନ୍‌କାଉଣ୍ଟରରେ ୧୬ ଜଣ ନକ୍ସଲଙ୍କୁ ନିହତ କରିିଥିଲେ।

ଭାମରାଗଡ଼ ତହସିଲ ଅଞ୍ଚଳରେ ମହାରାଷ୍ଟ୍ର ଓ ଛତିଶଗଡ଼ ରାଜ୍ୟର ସୀମାକୁ ଲାଗିଥିବା କସନାପୁର-ବୋରିଆ ଜଙ୍ଗଲରେ ଇନ୍ଦ୍ରାବତୀ ନଦୀ କୂଳରେ ବିଶେଷ ଅଭିଯାନ ଦଳ(ସି-୬୦)ର କମାଣ୍ଡୋ ଏବଂ ସିଆରପିଏଫ-୯ ବାଟାଲିୟନର ଯବାନମାନଙ୍କ ଯୁଗ୍ମ କାର୍ଯ୍ୟାନୁଷ୍ଠାନ ବଳରେ ୧୬ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଏଥିରେ ୨ଜଣ ଡିଭିଜନାଲ କମାଣ୍ଡର ସାଇନାଥ ଓ ଶ୍ରୀନୁ ମଧ୍ୟ ସାମିଲ ଅଛନ୍ତି। ଏମାନଙ୍କ ନାମରେ ମହାରାଷ୍ଟ୍ର ସରକାର ୧୬-୧୬ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ସାଇନାଥଙ୍କ ନାମରେ ୭୫ଟି ଶ୍ରୀନୁ ନାମରେ ୮୨ଟି ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିଲା।

ମହାରାଷ୍ଟ୍ରର ପୁଲିସ ନିର୍ଦ୍ଦେଶକ (ଡିଜିପି) ସତୀଶ ମାଥୁର ମୁମ୍ବାଇରେ ସାମ୍ବାଦିକମାନଙ୍କୁ କହିଛନ୍ତି, ନକ୍ସଲଙ୍କ ନିକଟରେ ଏବେ ଆତ୍ମସମର୍ପଣ ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ। ନକ୍ସଲ ଗତିବିଧି ଉପରେ ପୁଲିସ ନଜର ରଖିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର