ମାଳଦ୍ୱୀପରେ ଚୀନର ପ୍ରଭାବ ବୃଦ୍ଧିକୁ ନେଇ ଚିନ୍ତାରେ ଆମେରିକା

ଓ୍ଵାସିଂଟନ: ଭାରତ ମହାସାଗରୀୟ ଦେଶ ମାଳଦ୍ୱୀପରେ ଚୀନ ଜମି ଅଧିକାର କରିଚାଲିଥିବାରୁ ଆମେରିକା ଚିନ୍ତା ପ୍ରକଟ କରିଛି । ଆମେରିକାର ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ ପକ୍ଷରୁ କୁହାଯାଇଛି ଯେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଗଣତନ୍ତ୍ର ଶାସନ ଓ ମୁକ୍ତ ବିଚରଣ ଅଧିକାର ସପକ୍ଷରେ ଆମେରିକା ରହିଛି । ଏହାର ଉଲ୍ଲଙ୍ଘନ ବେଶ ଚିନ୍ତାର ବିଷୟ ।
ମାଳଦ୍ୱୀପରେ ଚୀନ ପ୍ରଭାବ ବୃଦ୍ଧି ଚିନ୍ତାର ବିଷୟ ବୋଲି ଆମେରିକାର ଉପ ସହକାରୀ ସଚିବ (ଦକ୍ଷିଣ ଓ ଦକ୍ଷିଣପୂର୍ବ ଏସିଆ ) ଜଏ ଫେଲଟର କହିଛନ୍ତି । ଏହି ଘଟଣା ଭାରତର ନିକଟରେ ହେଉଥିବାରୁ ଭାରତ ପାଇଁ ମଧ୍ୟ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି । ମାଳଦ୍ୱୀପର ପୂର୍ବତନ ବିଦେଶ ମନ୍ତ୍ରୀ ତଥା ବିରୋଧୀଦଳ ନେତା ଅହମ୍ମଦ ନସୀମଙ୍କ ଅଭିଯୋଗ ପରେ ଆମେରିକା ଏହି ପ୍ରତିକ୍ରିୟା ପ୍ରକାଶ କରିଛି ।
ନସୀମ କହିଛନ୍ତି ଯେ ମାଳଦ୍ୱୀପ ରାଷ୍ଟ୍ରପତି ଅବଦୁଲ୍ଲା ୟମିନ ଏବେ ସମ୍ପୂର୍ଣ୍ଣ ଭାବେ ଏତଛତ୍ରବାଦୀ ହୋଇଯାଇଛନ୍ତି ଓ ତାଙ୍କୁ ଚୀନ ସବୁ ପ୍ରକାରର ସହାୟତା କରୁଛି । ଏହି ମୌକାରେ ଚୀନ ମାଳଦ୍ୱୀପରେ ଅନେକ ଜମି ମାଡିବସିଛି । ମାଳଦ୍ୱୀପର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନ କରିବାକୁ ଚୀନ ସମସ୍ତଙ୍କୁ କହୁଥିବାବେଳେ ନିଜେ ହସ୍ତକ୍ଷେପ କରୁଛି । ଚୀନ ମାଳଦ୍ୱୀପର ଶାସକଙ୍କୁ ଲାଞ୍ଚୁଆ କରି ନିଜେ କ୍ଷମତା ଅଧିକାର କରୁଛି । ମାଳଦ୍ୱୀପକୁ ଅଧିକାର କରି ଏକ ସାମରିକ ଘାଟି ପ୍ରତିଷ୍ଠା କରିବା ଚୀନର ଲକ୍ଷ୍ୟ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର