ମାୟାବତୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ

କ୍ଷମା ମାଗିଲେ ବିଜେପି ବିଧାୟିକା, ମାମଲା ରୁଜୁ କଲା ବିଏସ୍‌ପି

ଲକ୍ଷ୍ନୌ: ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ବିରୋଧରେ ଅତ୍ୟନ୍ତ ଅଶାଳୀନ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି ଉତ୍ତର ପ୍ରଦେଶର ବିଜେପି ବିଧାୟିକା ସାଧନା ସିଂହ। ମାୟାବତୀ କ୍ଷମତା ପାଇଁ ସବୁକିଛି ଛାଡ଼ି ଦେଇପାରନ୍ତି ଏବଂ ସେ ନାରୀଜାତିର ଏକ କଳଙ୍କ ବୋଲି ବିଜେପି ବିଧାୟିକା ସାଧନା ସିଂହଙ୍କ ବୟାନ ୟୁପି ରାଜନୀତିକୁ ସରଗରମ କରିଦେଇଛି। ମାୟାବତୀଙ୍କ ବିରୋଧରେ ଅନେକ ବିବାଦୀୟ ମନ୍ତବ୍ୟ ଦେଇଥିବା ସାଧନାଙ୍କୁ ଜାତୀୟ ମହିଳା କମିସନ ନୋଟିସ ଜାରି କରି କୈଫିୟତ ତଲବ କରିବ ବୋଲି ଜଣାପଡ଼ିଛି। ଆସନ୍ତାକାଲି ତାଙ୍କୁ ନୋଟିସ୍ ଜାରି ହେବ ବୋଲି ଏନ୍‌ସିଡବ୍ଲ୍ୟୁର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା କହିଛନ୍ତି। ସାଧନା ମାୟାବତୀଙ୍କୁ ଟାର୍ଗେଟ କରିବା ପଛରେ ବିଜେପିର କୁତ୍ସିତ ମାନସିକତା ଏବଂ ମାନସିକ ଦେବାଳିଆ ସ୍ଥିତି ରହିଛି ବୋଲି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି। ବିବାଦ ବଢ଼ିବା ପରେ ଆଜି ଅପରାହ୍ନରେ ସାଧନା କ୍ଷମା ପ୍ରାର୍ଥନା କରିଛନ୍ତି। ମାୟାବତୀଙ୍କୁ ଅପମାନିତ କରିବା ମୋର ଉଦ୍ଦେଶ୍ୟ ନଥିଲା ଏବଂ ତାଙ୍କୁ ପୂର୍ବରୁ ବିଜେପି ନେତାମାନେ ୧୯୯୫ ଜୁନ୍‌ରେ ଘଟିଥିବା ଗେଷ୍ଟ୍‌ ହାଉସ୍‌ କାଣ୍ଡରେ କରିଥିବା ସହାୟତା ମନେ ପକାଇଦେବା ଉଦ୍ଦେଶ୍ୟରେ ଏଭଳି ବୟାନ ଦେଇଥିଲି ବୋଲି ସାଧନା କହିଛନ୍ତି। ତେବେ ଏହି କ୍ଷମା ପ୍ରାର୍ଥନାରେ ବିଏସ୍‌ପି ସନ୍ତୁଷ୍ଟ ହୋଇନାହିଁ ଏବଂ ଏସ୍‌ସି/ଏସ୍‌ଟି ଆଇନ୍‌ରେ ଚନ୍ଦୌଲି ଥାନାରେ ମାମଲା ରୁଜୁ କରିଛି। ମୁଗଲସରାଇ ବିଧାୟିକା ରହିଥିବା ସାଧନାଙ୍କ ବିରୋଧରେ ଆଜି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ‌ମଧ୍ୟ ହୋଇଛି।

ସମ୍ବନ୍ଧିତ ଖବର