ମେଘାଳୟରୁ ହଟିଲା ସେନା ଆଇନ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରାଳୟ ମେଘାଳୟରୁ ଏଏଫଏସପିଏ ବା ସଶସ୍ତ୍ର ସେନା (ସ୍ୱତନ୍ତ୍ର କ୍ଷମତା) ଆଇନକୁ ହଟାଇଦେଇଛନ୍ତି । ଗତ ୧ ତାରିଖରୁ ଏହା କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହା ସହିତ ଅରୁଣାଚଳ ପ୍ରଦେଶରେ ମଧ୍ୟ କେତେକ ଅଂଚଳରୁ ଏହାକୁ ଉଠାଇ ଦିଆଯାଇଛି । ପୂର୍ବରୁ ଅରୁଣାଚଳ ପ୍ରଦେଶରେ ୧୬ଟି ଜିଲ୍ଲାରେ ଏହା ଲାଗୁ ଥିବାବେଳେ ତାହାକୁ ୮ଟିକୁ ହ୍ରାସ କରାଯାଇଛି । କିନ୍ତୁ ପଡୋଶୀ ମ୍ୟାମାରକୁ ଲାଗିଥିବା ଅରୁଣାଚଳ ପ୍ରଦେଶର ୩ଟି ଜିଲ୍ଲା ଟିରାପ, ଲଂଡିଂ ଓ ଚାଙ୍ଗ୍‌ଲାଙ୍ଗ୍‌ରେ ଓ ଆସାମକୁ ଲାଗିଥିବା କିଛି ଜିଲ୍ଲାରେ ଏହାକୁ ଆଉ ୬ ମାସ ପାଇଁ ବଢାଇଦିଆଯାଇଛି । ତ୍ରିପୁରାରେ ଗତ ୨୦୧୫ରୁ ଏହି ଆଇନକୁ ହଟାଇଦିଆଯାଇଛି । ମିଜୋରାମରେ ବହୁ ପୂର୍ବରୁ ଏହାକୁ ହଟାଇଦିଆଯାଇଛି । ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବିଚ୍ଛିନ୍ନତାବାଦୀଙ୍କ କାର୍ଯ୍ୟକଳାପ ଧୀରେ ଧୀରେ ହ୍ରାସ ପାଉଥିବାରୁ ସରକାର ଏପରି ପଦକ୍ଷେପ ନେଉଛନ୍ତି । ୨୦୧୪ରୁ ୨୦୧୮ ମଧ୍ୟରେ ଉତ୍ତରପୂର୍ବ ରାଜ୍ୟରେ ଅନୁପ୍ରବେଶ ଘଟଣା ୩୭ ପ୍ରତିଶତ ହ୍ରାସ ପାଇଛି, ସାଧାରଣ ନାଗରିକ ମୃତ୍ୟୁ ସଂଖ୍ୟା ୮୩ ପ୍ରତିଶତ ହ୍ରାସ ପାଇଛି, ସୁରକ୍ଷାବାହିନୀର ଜଓ୍ଵାନ ମୃତ୍ୟୁ ସଂଖ୍ୟା ୪୦ ପ୍ରତିଶତ ହ୍ରାସ ପାଇଛି । ଏଏଫଏସପିଏ ବା ସଶସ୍ତ୍ର ସେନା (ସ୍ୱତନ୍ତ୍ର କ୍ଷମତା) ଆଇନ ଅନୁସାରେ ଅସ୍ଥିର ଓ ହିଂସାପ୍ରବଣ ଅଂଚଳରେ ସେନାକୁ କେତେକ ସ୍ୱତନ୍ତ୍ର କ୍ଷମତା ମିଳିଥାଏ । ବିନା ଓ୍ଵାରେଣ୍ଟରେ କୌଣସି ସଂଦିଗ୍ଧ ବ୍ୟକ୍ତିକୁ ଗିରଫ କରିବା, ଗୁଳି ଚଳାଇବା ଆଦି, ଖାନତଲାସୀ କରିବା ଆଦି ସେନା ଓ ସୁରକ୍ଷାବଳ କରିପାରିବ । ଏ ନେଇ ସେମାନଙ୍କ ବିରୋଧରେ ମାମଲା ଦାଏର ହୋଇପାରିବ ନାହିଁ ।

ସମ୍ବନ୍ଧିତ ଖବର