ଯାଁଆଳା ପିଲାଙ୍କୁ ଜନ୍ମ ଦେଇ ଘରକୁ ଫେରିଲେ ବିଶ୍ବର ବୟସ୍କ ଦମ୍ପତି

ହାଇଦ୍ରାବାଦ: ଯାଁଆଳା ଶିଶୁଙ୍କୁ ଜନ୍ମ ଦେଇ ନିକଟରେ ଚର୍ଚ୍ଚାକୁ ଆସିଥିବା ବିଶ୍ବର ବୟସ୍କ ଦମ୍ପତି ଆଜି ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଯାଇଛନ୍ତି। ଛୁଆ ଜନ୍ମ ଦେଇଥିବା ଆନ୍ଧ୍ର ପ୍ରଦେଶର ଏହି ଦମ୍ପତିଙ୍କ ମଧ୍ୟରୁ ମା’ ମାଙ୍ଗାୟାମାଙ୍କ ବୟସ ୭୪ ବର୍ଷ ହୋଇଥିବା ବେଳେ ପିତା ରାଜା ରାଓଙ୍କ ବୟସ ୮୦ ବର୍ଷ। ‌ସେମାନଙ୍କୁ ଡାକ୍ତରଖାନାର ଆଇସିୟୁରେ ରଖାଯାଇଥିଲା। ତେବେ ପିତା ରାଜା ରାଓଙ୍କୁ ହୃଦ୍‌ଘାତ ହୋଇଥିବା ନେଇ ପ୍ରକାଶ ପାଇଥିବା ରିପୋର୍ଟକୁ ଡାକ୍ତରମାନେ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ଅସ୍ତ୍ରୋପଚାର କରାଯାଇ ପିଲା ଜନ୍ମ କରାଯାଇଥିବାରୁ ସଂକ୍ରମଣକୁ ଏଡ଼ାଇବା ପାଇଁ ମାଆକୁ ମଧ୍ୟ ଆଇସିୟୁରେ ରଖାଯାଇଥିଲା। ନବଜାତ ଯାଆଁଳା ଶିଶୁକନ୍ୟା ଦ୍ବୟଙ୍କୁ ସେମାନଙ୍କ ସମ୍ପର୍କୀୟମାନେ ଯତ୍ନ ନେଉଥିଲେ। ରାଜା ରାଓଙ୍କର ଫୁସଫୁସରେ ପୂର୍ବରୁ ସଂକ୍ରମଣ ଥିଲା। ଯଦିଓ ସେ ଆଇସିୟୁରେ ଚିକିତ୍ସା ଆବଶ୍ୟକ କରୁ ନଥିଲେ ତଥାପି ଆମେ ସେମାନଙ୍କୁ ଆଇସିୟୁ ବର୍ଗର ରୁମ୍‌ରେ ରଖିଥିଲୁ। ଶିଶୁ ଜନ୍ମ ଦେଇଥିବା ମାଙ୍ଗାୟାମା ଠିକ୍‌ଠାକ୍ ଅଛନ୍ତି ବୋଲି ଡାକ୍ତର ଉମା ଶଙ୍କର କହିଛନ୍ତି। ସେହିଭଳି ନବଜାତ ଶିଶୁଙ୍କୁ ମଧ୍ୟ ଆଇସିୟୁରେ ରଖାଯାଇଥିଲା। ଡାକ୍ତରଖାନାରୁ ଘରକୁ ଯାଇଥି‌ଲେ ମଧ୍ୟ ଏହି ଦମ୍ପତିଙ୍କୁ ପିଲାଙ୍କ ଯତ୍ନ ନେବାକୁ ପଡ଼ିବ ନାହିଁ ବୋଲି ସେମାନଙ୍କ ଝିଆରୀ ଲକ୍ଷ୍ମୀ କହିଛନ୍ତି। ସେ ସେମାନଙ୍କୁ ସହାୟତା ପ୍ରଦାନ ଜାରି ରଖିବେ ବୋଲି କହିଛନ୍ତି। ତାଙ୍କ ଯୌଥ ପରିବାରରେ ୧୫ରୁ ୨୦ ଜଣ ସଦସ୍ୟ ଥିବାରୁ ସେସବୁ ସଦସ୍ୟମାନେ ପିଲାଙ୍କ ଜଗାରଖା କରିବେ। ଆଇଭିଏଫ୍ ମାଧ୍ୟମରେ ଏହି ଦମ୍ପତି ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଜିଲ୍ଲାର ଏକ ଡାକ୍ତରଖାନାରେ ଗତ ୫ ତାରିଖରେ ମାଙ୍ଗାୟାମା ଦୁଇ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ଚିକିତ୍ସା ବିଜ୍ଞାନରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର