ଶିକ୍ଷକ ଗାଳି ଦେବାରୁ କୂଅକୁ ଡେଇଁ ଜୀବନ ହାରିଲେ ଚାରି ବାଳିକା

ଚେନ୍ନାଇ: ଶୁକ୍ରବାର ଦିନ ଭେଲୋର୍‌ ଜିଲ୍ଲାର ଆରାକୋନାମ୍‌ ନିକଟବର୍ତ୍ତୀ ରାମପୁରମ୍‌ ଠାରେ ଗୋଟାଏ ୮୦ ଫୁଟ୍‌ ଗଭୀର କୂଅକୁ ଡେଇଁ ଚାରି ଜଣ ୧୬ ବର୍ଷୀୟ ବାଳିକା ଜୀବନ ହାରିଛନ୍ତି। ସେମାନେ ପନ୍ନାପାକ୍କମ୍‌ସ୍ଥିତ ସରକାରୀ ହାଇସ୍କୁଲ୍‌ର ଛାତ୍ରୀ। ପରୀକ୍ଷାରେ କମ୍‌ ନମ୍ବର ରଖିଥିଲେ। ଶିକ୍ଷକ ଗାଳି ଦେବାରୁ ସେମାନଙ୍କୁ ଆଘାତ ଲାଗିଥିଲା।

ଷ୍ଟେଟ୍‌ ଫାୟର୍‌ ଆଣ୍ଡ୍‌ ରେସ୍କ୍ୟୁ ସର୍ଭିସ ଏବଂ ନ୍ୟାସ୍‌ନାଲ୍‌ ଡିଜାଷ୍ଟର୍‌ ରେସ୍‌ପନ୍‌ସ୍‌ ଫୋର୍ସ ବହୁ ପରିଶ୍ରମ କରି କୂଅରୁ ତିନି ଜଣ ବାଳିକାଙ୍କ ଶବ ଉଦ୍ଧାର କରିଥିଲେ। ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ଚତୁର୍ଥ ବାଳିକାଙ୍କ ଶବ ମିଳି ନ ଥିଲା।

ପ୍ରାଥମିକ ତଦନ୍ତ ପରେ ପୁଲିସ କହିଛି ଯେ ଶିକ୍ଷକ ସେମାନଙ୍କ ଅଭିଭାବକଙ୍କ ସହ ଖରାପ ପରୀକ୍ଷା ଫଳ ବିଷୟ ଆଲୋଚନା କରିବାକୁ ଚାହୁଁ ଥିଲେ। ତେଣୁ, ଅଭିଭାବକଙ୍କୁ ସାଥିରେ ଆଣିବାକୁ ଶିକ୍ଷକ ସେମାନଙ୍କୁ କହିଥିଲେ। ଖେଳଛୁଟି ପରେ ଅପରାହ୍ଣରେ ସେ ଚାରି ଝିଅ ଆଉ କ୍ଲାସ୍‌କୁ ଯାଇ ନ ଥିଲେ। ସେମାନଙ୍କର ବହିବ୍ୟାଗ୍‌ କ୍ଲାସ୍‌ରେ ଥିଲା। ସହସା ସେମାନଙ୍କର ନିରୁଦ୍ଦେଶ ଖବର ଚାରିଆଡ଼େ ପ୍ରଚାରିତ ହୋଇଗଲା। ସ୍କୁଲ୍‌ ଠାରୁ ଅଳ୍ପ କେତେ କିଲୋମିଟର୍‌ ଦୁରରେ ଥିବା ଭେଙ୍କଟେସନ୍‌ ନାମକ ଜଣେ ଲୋକଙ୍କ ଫାର୍ମରେ ଥିବା କୂଅମୂଳେ ଝିଅମାନଙ୍କର ସାଇକେଲ ଥୁଆ ହୋଇଥିବା ଜଣେ ସ୍ଥାନୀୟ ଲୋକ ଦେଖି ପାରିଲେ।

ପୁଲିସକୁ ଖବର ଦିଆଯାଇଥିଲା। ସଦଳବଳେ ପୁଲିସ ସେ ଫାର୍ମରେ ପହଞ୍ଚିଥିଲା। କୂଅ ବହୁତ ଗଭୀର ହୋଇଥିବାରୁ ସେଥିରେ ପଶିବା ଥିଲା କାଠିକର ପାଠ। ବହୁ କଷ୍ଟରେ ତିନି ଜଣଙ୍କ ଶବ ଦଉଡ଼ି ଯୋଗେ କଢ଼ା ଯାଇଥିଲା। ତିନିଟି ଶବ ବ୍ୟବଚ୍ଛେଦ ପାଇଁ ସରକାରୀ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ଅନ୍ୟ ଜଣେ ନିଖୋଜ ଝିଅକୁ ବିଳମ୍ବିତ ରାତ୍ରୀ ଯାଏଁ ଖୋଜା ଚାଲିଥିଲା।

ଏ ଘଟଣା ବାବଦରେ ଏକ ମାମଲା ରୁଜୁ କରାଯାଇ ପ୍ରଧାନ ଶିକ୍ଷକ ଏବଂ ଅନ୍ୟାନ୍ୟ ଶିକ୍ଷକମାନଙ୍କୁ ପଚରା ଉଚୁରା ଚାଲିଛି।

ସମ୍ବନ୍ଧିତ ଖବର