ସପା ଜାତୀୟ ଅଧିବେଶନ ଅଖିଳେଶ ଅଧ୍ୟକ୍ଷ ନିର୍ବାଚିତ: ମୁଲାୟମ, ଶିବପାଲ ଅନୁପସ୍ଥିତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ସମାଜବାଦୀ ପାର୍ଟିର ଜାତୀୟ ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇ ନିଜର ସ୍ଥିତିକୁ ଅଧିକ ସୁଦୃଢ କରିଛନ୍ତି। ଆଗ୍ରାରେ ଦଳର ଜାତୀୟ ସମ୍ମିଳନୀରେ ବରିଷ୍ଠ ଏସପି ନେତା ରାମ ଗୋପାଳ ଯାଦବ ଅଖିଳେଶ ପୁନଃନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି। ଅଖିଳେଶ ୫ ବର୍ଷ ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ କାର୍ଯ୍ୟଭାର ତୁଲାଇବେ। ୨୦୧୯ ଲୋକସଭା ଏବଂ ୨୦୨୨ରେ ରାଜ୍ୟ ବିଧାନସଭା ନିର୍ବାଚନ ତାଙ୍କ ନେତୃତ୍ୱରେ ପରିଚାଳିତ ହେବ। ତେବେ ସମାଜବାଦୀ ଦଳର ଜାତୀୟ ସମ୍ମିଳନୀରେ ଉଭୟ ଅଖିଳେଶଙ୍କ ପିତା ତଥା ଦଳର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଏବଂ କାକା ଶିବପାଲ ଯାଦବ ଅନୁପସ୍ଥିତ ଥିଲେ। ଏହା ପୂର୍ବରୁ ସେପ୍ଟେମ୍ବର ୨୩ ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମଧ୍ୟ ସେମାନେ ଅନୁପସ୍ଥିତ ଥିଲେ। ଅଖିଳେଶ ବ୍ୟକ୍ତିଗତ ଭାବେ ତାଙ୍କ ପିତାଙ୍କୁ ଜାତୀୟ ସମ୍ମିଳନୀକୁ ନିମନ୍ତ୍ରଣ କରିଥିଲେ ମଧ୍ୟ ସେ ଏଥିରେ ଅନୁପସ୍ଥିତ ଥିବାରୁ ଦଳ ପାଇଁ ଝଟ୍‌୍‌କା ହୋଇଛି। ସମାଜବାଦୀ ଦଳର ମୁଖ୍ୟ ପଦକୁ ନେଇ ମୁଲାୟମ, ଶିବପାଲ ଏବଂ ଅଖିଳେଶଙ୍କ ମଧ୍ୟରେ ଦେଖାଦେଇଥିବା ତିକ୍ତତା ଆଗକୁ ଆହୁରି ବଢ଼ିବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର