ସାମ୍ବାଦିକ ଜମାଲ ଖୋସୋଗଜିଙ୍କ ହତ୍ୟାମାମଲା : ୫ ଦୂତାବାସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ ମିଳିବ

ରିୟାଦ : ସାମ୍ବାଦିକ ଜମାଲ ଖୋସୋଗଜିଙ୍କ ହତ୍ୟାମାମଲାରେ ୫ ଜଣ ସାଉଦି ଅଧିକାରୀ ମୃତ୍ୟୁଦଣ୍ଡର ସମ୍ମୁଖୀନ ହେବେ । ଏସମ୍ପର୍କରେ ସାଉଦି ଆରବ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଗତ ଅକ୍ଟୋବର ୨ରେ ତୁର୍କୀର ରାଜଧାନୀ ଇସ୍ତାନବୁଲରେ ଥିବା ସାଉଦି ଦୂତାବାସରେ ଖୋସୋଗଜିଙ୍କୁ ହତ୍ୟା କରାଯାଇଥିଲା । ସେ ଓ୍ଵାସିଂଟନ ପୋଷ୍ଟରେ ଲେଖାଲେଖି କରୁଥିଲେ ଓ ସାଉଦି ସରକାର ଓ ରାଜପରିବାରର ଜଣେ ସମାଲୋଚକ ଥିଲେ । ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ସାରା ବିଶ୍ୱରେ ପ୍ରବଳ ବିରୋଧ ପ୍ରକାଶ ପାଇଥିଲା । ପ୍ରଥମେ ସାଉଦି ସରକାର ଏହାକୁ ଅସ୍ୱୀକାର କରୁଥିଲେ ମଧ୍ୟ ପରେ ଆମେରିକା ଚାପରେ ଅକ୍ଟୋବର ୧୫ରେ ଏହାକୁ ସ୍ୱୀକାର କଲେ । ତେବେ ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡବିଧାନ ପାଇଁ ସାରା ବିଶ୍ୱରେ ଜନମତ ସୃଷ୍ଟି ହେବାରୁ ସାଉଦି ସରକାର ମୃତ୍ୟୁଦଣ୍ଡ ବିଷୟ ଘୋଷଣା କରିଛନ୍ତି । ତେବେ ଏହି ଘଟଣାରେ ସାଉଦି ରାଜକୁମାର ମହମ୍ମଦ ବିନ ସଲମାନଙ୍କ ହାତ ନାହିଁ ବା ସେ ଏ ସଂପର୍କରେ ଜାଣିନାହାନ୍ତି ବୋଲି ସାଉଦି ସରକାର କହିଛନ୍ତି ।

ସମ୍ବନ୍ଧିତ ଖବର